୫ ଦିନ ଯାଏ ସାରା ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୭ା୫ (ବ୍ୟୁରୋ): ପୂର୍ବ ବିହାର, ଦକ୍ଷିଣ ତାମିଲନାଡୁ, ବିଦର୍ଭ ଏବଂ ରୟାଲ ସୀମା ଉପରେ ଏକ ଟ୍ରପ ଲାଇନ ରହିଛି। ଏଥିସହିତ ବିଦର୍ଭ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂପୃଷ୍ଠରୁ ୦.୯ କିମି ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଉପକୂଳ ଓଡ଼ିଶା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ରାୟଗଡ଼ା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଝଡ଼ର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅନୁଗୋଳରେ ୨୧.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର ୧୧.୧, ଚାନ୍ଦବାଲି ୪.୮, କଟକ ୧୦.୪, ଭୁବନେଶ୍ୱର ୬.୬, ଗୋପାଳପୁର ୨, ଝାରସୁଗୁଡା ୬.୪, କେନ୍ଦୁଝର ୭.୩, ସୁନ୍ଦରଗଡ଼ ୬, ତାଳଚେର ୧୨, ବଲାଙ୍ଗୀର ୨୭, ଫୁଲବାଣୀ ୩, ସୋନପୁର ୩୫, ଦାରିଙ୍ଗବାଡ଼ି ୩୫, ବୌଦ୍ଧ ୨୫.୪, ଛତ୍ରପୁରରେ ୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଝଡ଼ବର୍ଷା ଯୋଗୁ ରାଜ୍ୟରେ ତାତି ହ୍ରାସ ପାଇଛି। କେବଳ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଭାଗରେ ସର୍ବୋଚ୍ଚ ତାପମାତ୍ରା ୩୧ରୁ ୩୯ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରିହଛି।