୫ ଦିନ ପୂର୍ବରୁ ବାହାଘର ଭାଙ୍ଗିଥିଲେ ସଲ୍‌ମାନ

ମୁମ୍ବାଇ: ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସଲ୍‌ମାନ ଖାନ୍‌ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ବଲିଉଡ୍‌ର ମୋଷ୍ଟ ଏଲିଜିବଲ୍‌ ବ୍ୟାଚେଲର୍‌ ହୋଇ ବି ୫୩ ବର୍ଷ ବୟସରେ କୁଆଁରା ଅଛନ୍ତି ସଲ୍‌ମାନ। ହେଲେ ଏବେ ତାଙ୍କ ବାହାଘର ସମ୍ପର୍କରେ ଏକ ଅଜଣା କଥା ପ୍ରକାଶ କରିଛନ୍ତି ତାଙ୍କ ସାଙ୍ଗ ତଥା ଫିଲ୍ମ ପ୍ରଯୋଜକ ସାଜିଦ୍‌ ନାଦିଆଓ୍ବାଲା। ସେ କହିଛନ୍ତି, ୧୯୯୯ରେ ସଲ୍‌ମାନଙ୍କ ବାହାଘର ହେବାର ଥିଲା। ସଲ୍‌ମାନଙ୍କ ବାପାଙ୍କ ଜନ୍ମଦିନ ନଭେମ୍ବର ୧୮ ତାରିଖରେ ହିଁ ବାହାଘର ଫିକ୍ସ ହୋଇଥିଲା। ଏପରି କି ବନ୍ଧୁବାନ୍ଧବଙ୍କୁ କାର୍ଡ ବଣ୍ଟା ସରିଥିଲା। କିନ୍ତୁ ଏହାର ୫-୬ ଦିନ ପୂର୍ବରୁ ସଲ୍‌ମାନଙ୍କ ମନ ବଦଳି ଯିବାରୁ ସେ ବାହା ହେବେନି ବୋଲି ମନା କରିଦେଇଥିଲେ ବୋଲି ସାଜିଦ୍‌ କହିଛନ୍ତି। ନୂଆ ଫିଲ୍ମ ‘ହାଉସ୍‌ଫୁଲ୍‌-୪’ର ପ୍ରମୋଶନ ପାଇଁ ପୂରା ଟିମ୍‌ ସହ ସାଜିଦ୍‌ କପିଲ୍‌ ଶର୍ମା ଶୋ’କୁ ଆସିଥିବା ବେଳେ ସଲ୍‌ମାନଙ୍କ ବାହାଘରକୁ ନେଇ ଏହି ମଜାଦାର ଉତ୍ତର ଦେଇଥିଲେ। ସାଜିଦ୍‌ଙ୍କ ପ୍ରଯୋଜିତ ‘ହାଉସ୍‌ଫୁଲ୍‌-୪’ ଫିଲ୍ମରେ ଖିଲାଡି ଅକ୍ଷୟ କୁମାର, ରିତେଶ ଦେଶମୁଖ, ବବି ଦଓ୍ବେଲ, କ୍ରିତି ସାନନ୍‌, କ୍ରିତି ଖରବନ୍ଦା, ପୂଜା ହେଗ୍‌ଡେ ଓ ଚଙ୍କି ପାଣ୍ଡେ ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମଟି ଦୀପାବଳି ଅବସରରେ ମୁକ୍ତିଲାଭ କରିବ। ଅନ୍ୟପଟେ ସାଜିଦ୍‌ଙ୍କ ଦ୍ୱାରା ପ୍ରଯୋଜିତ ସଲ୍‌ମାନଙ୍କ ସିକ୍ୱେଲ୍‌ ଫିଲ୍ମ ‘ଦବଙ୍ଗ-୩’ର ଟ୍ରେଲର୍‌ ଲଞ୍ଚ ଇଭେଣ୍ଟ ବୁଧବାର ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି।

Share