୫-ଟି’କୁ ନୀତି ଆୟୋଗର ପ୍ରଶଂସା

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟ ସରକାର ପ୍ରଶାସନକୁ ଅଧିକ ସରଳ ଏବଂ ଲୋକାଭିମୁଖୀ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଗତ ଅକ୍ଟୋବର ୨ରୁ ‘ମୋ ସରକାର’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି। ସ୍ବାସ୍ଥ୍ୟସେବା ଏବଂ ଆଇନଶୃଙ୍ଖଳାକୁ ଏଥିରେ ପ୍ରାଥମିକ ଭାବେ ସାମିଲ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଦତ୍ତ ୫-ଟି ମନ୍ତ୍ରକୁ ପ୍ରଶାସନିକ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଏହା ଦ୍ୱାରା ଧାର୍ଯ୍ୟ ସମୟରେ କାର୍ଯ୍ୟ ହେବା ସହ ପ୍ରଶାସନର ସରଳୀକରଣ ହେଉଛି। ଏହି ବ୍ୟବସ୍ଥାକୁ ବିଭିନ୍ନ ଫୋରମ୍‌ରେ ପ୍ରଶଂସା କରାଯାଇଛି। ସେହିକ୍ରମରେ ଓଡ଼ିଶା ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ନେଇ ନୀତି ଆୟୋଗ ପକ୍ଷରୁ ଟୁଇଟ୍‌ କରାଯାଇଛି। ଓଡ଼ିଶା ସରକାର ଶିକ୍ଷା ବ୍ୟବସ୍ଥାରେ ଧାର୍ଯ୍ୟଲକ୍ଷ୍ୟ ହାସଲ କରିବା ପାଇଁ ସାମଗ୍ରିକ ପରିବର୍ତ୍ତନ(ଟ୍ରାନ୍ସଫରମେଶନ୍‌), ବୈଷୟିକ ବିଦ୍ୟା(ଟେକ୍ନୋଲୋଜି), ଦଳଗତ କାର୍ଯ୍ୟ(ଟିମ୍‌ ୱାର୍କ), ସ୍ବଚ୍ଛତା(ଟ୍ରାନ୍ସପରେନ୍ସିଂ) ଏବଂ ସମୟ(ଟାଇମ୍‌) କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରୁଥିବା ଏଥିରେ କୁହାଯାଇଛି।