Categories: ଜାତୀୟ

୫୮ ବର୍ଷ ବୟସରେ ଅବସର ଗ୍ରହଣ କରିବେ ସେନା ଯବାନ: ସିଡିଏସ୍‌ ବିପିନ ରାଓ୍ବତ ଦେଲେ ସୂଚନା

ନୂଆଦିଲ୍ଲୀ, ୫।୨: ଭାରତୀୟ ସେନାରେ କାର୍ଯ୍ୟ କରୁ ଥିବା ଯବାନ ଏଣିକି ୫୮ ବର୍ଷ ବୟସରେ ଅବସର ଗ୍ରହଣ କରିବେ। ଏନେଇ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌(ସିଡିଏସ୍‌) ବିପିନ ରାଓ୍ବତ ସୂଚନା ଦେଇଛନ୍ତି। ସେନାରେ ୨ ବର୍ଗର କର୍ମଚାରୀ କାର୍ଯ୍ୟ କରିଥାନ୍ତି। ପ୍ରଥମ ବର୍ଗ ଅଧିକାରୀ ଥିବାବେଳେ ଦ୍ୱିତୀୟ ବର୍ଗ ହେଉଛନ୍ତି ଯବାନ। ଅଧିକାରୀମାନେ ୫୪ରୁ ୫୮ ବର୍ଷ ମଧ୍ୟରେ ଅବସର ଗ୍ରହଣ କରିଥାନ୍ତି। ତେବେ ଯବାନମାନେ ୧୮ରୁ ୧୯ ବର୍ଷ ବୟସରେ ନିଯୁକ୍ତି ପାଇଥାନ୍ତି ଏବଂ ୩୭ରୁ ୩୮ ବର୍ଷ ମଧ୍ୟରେ ଅବସର ନେଇଥାନ୍ତି। ଏହାଦ୍ୱାରା ସମସ୍ୟା ସୃଷ୍ଟି ହେଉଥିବା ବିପିନ ରାଓ୍ବତ କହିଛନ୍ତି। ଏପରିସ୍ଥଳେ ଏକ ତୃତୀୟାଶଂ ଯବାନଙ୍କ ଅବସର ବୟସ ୫୮ ହେବା ଆବଶ୍ୟକ। ସମ୍ପ୍ରତି ୧୭ ବର୍ଷର କାର୍ଯ୍ୟକାଳ ପରେ ଯବାନ ୩୮ରେ ଅବସର ହେବା ପରେ ସେମାନଙ୍କୁ ହାରାହାରି ୩୦-୩୨ ବର୍ଷ ପର୍ଯ୍ୟନ୍ତ ପେନସନ୍‌ ମିଳିଥାଏ। ଏପରିସ୍ଥଳେ ଯବାନଙ୍କ ଅବସର ବୟସ ସୀମା ବଢ଼ାଇବା ଉଚିତ ବୋଲି ସେ କହିଛନ୍ତି। ତେବେ ଏହା ଉପରେ ଅଧ୍ୟୟନ ଜାରି ରହିଛି। ଚଳିତ ବର୍ଷ ଶେଷ ସୁଦ୍ଧା ରିପୋର୍ଟ ମିଳିବାର ଆଶା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

Share