୫୫ ନଂ. ଏନ୍‌ଏଚରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର: ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ବଇଣ୍ଡା,୩।୩(ଡି.ଏନ.ଏ.)-ଅନୁଗୋଳ ଜିଲା କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ହଣ୍ଡପା ଥାନା କମରେଇ ନିକଟରେ ମଙ୍ଗଳବାର ଅପରାହ୍ନ ୪.୩୦ରେ ଏକ ପ୍ରୋପେନ ଗ୍ୟାସ ବୋଝେଇ ଟ୍ୟାଙ୍କର( ନଂ. ଏନଏଲ୦୧ଡି୨୭୫୮) ଭାରସାମ୍ୟ ହରାଇ ଓଲଟିପଡ଼ିଛି। କଟକରୁ ସମ୍ବଲପୁର ଅଭିମୁଖେ ଉକ୍ତ ଟ୍ୟାଙ୍କରଟି ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦୁର୍ଘଟଣା ପରେ ଟ୍ୟାଙ୍କର ତଳୁ କଣା ହୋଇପଡ଼ିବା ଯୋଗୁ ପ୍ରବଳ ମାତ୍ରାରେ ଲିକ କରୁଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଖବରପାଇ ଆଠମଲ୍ଲିକ ଏସଡିପିଓ, ହଣ୍ଡପା, କିଶୋରନଗର ପୋଲିସ ସହ ବାମୁର, ଅନୁଗୋଳ, ରେଢାଖୋଲ ଓ ଆଠମଲ୍ଲିକ ୪ଟି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ଏପରିକି ଗ୍ୟାସ ଟାଙ୍କି ଉପରେ ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ସ୍ପ୍ରେ କରାଯାଉଥିବାବେଳେ ଉକ୍ତ ଗ୍ୟାସଟି କିଛି ବିଷାକ୍ତ ଥିବା ଯୋଗୁ ସାଧାରଣ ଲୋକଙ୍କ ଚର୍ମରେ ସ୍ପର୍ଶ ନ ହେବା ପାଇଁ ପାଣି ସ୍ପ୍ରେ ଦ୍ୱାରା ମାଟିରେ ମିଶାଇ ଦିଆଯାଇଛି। ଏଥିସହିତ ଉକ୍ତ ଗ୍ୟାସକୁ କିଭଳି ଅନ୍ୟ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କରରେ ଫିଲପ କରାଯିବ ସେ ନେଇ ହଣ୍ଡପା ପୋଲିସ ପକ୍ଷରୁ ଝାଡସୁଗୁଡାସ୍ଥିତ ଉକ୍ତ ଗ୍ୟାସ କମ୍ପାନୀକୁ ସୂଚନା ଦିଆଯାଇଛି। ସେହିପରି ରାସ୍ତାର ଉଭୟପାର୍ଶ୍ୱକୁ ସିଲ କରାଯାଇ କୌଣସି ଗାଡ଼ିକୁ ଛଡ଼ାଯାଉ ନ ଥିବା ଜଣାପଡ଼ିଛି। ଏପରିକି ନାକିଚି, ଠାକୁରଗଡ଼ ବଇଣ୍ଡା ଦେଇ ଗାଡ଼ି ଗୁଡ଼ିକକୁ ଛଡ଼ାଯାଉଛି। ଦୁର୍ଘଟଣାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି।