Categories: ଜାତୀୟ

୫୨ ବର୍ଷୀୟ ରିକ୍ସାବାଲାଙ୍କ ପ୍ରେମରେ ପଡିଥିଲେ ୩ ହଜାର ଯୁବତୀ

ବରେଲି,୩।୯: ଉତ୍ତର ପ୍ରଦେଶ ବରେଲିର ଇଜ୍ଜତ ନଗର ଥାନା ଅଞ୍ଚଳରୁ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। ବରେଲିର ନୁରୁଲ ହାସନ ନାମକ ଜଣେ ରିକ୍ସା ଚାଳକ ଫେସ୍‌ବୁକ୍‌ରେ ନିଜକୁ ଆଇପିଏସ୍‌ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ଏହାପରେ ଯୁବତୀମାନେ ତାଙ୍କ ପ୍ରେମରେ ପଡିଥିଲେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନୁରୁଲ ପ୍ରଥମେ ଫେସ୍‌ବୁକ୍‌ରେ ଆକାଉଣ୍ଟ ଖୋଲିବା ପରେ ଆଇପିଏସ୍‌ ବେଶରେ ଏକ ଫଟୋ ଦେଇ ତାଙ୍କ ପ୍ରୋଫାଇଲରେ ସେ ଆଇପିଏସ୍‌ ବୋଲି ଲେଖିଥିଲେ। ଏହାପରେ ଖୁବ୍‌ କମ୍‌ ଦିନ ମଧ୍ୟରେ ତାଙ୍କର ପ୍ରାୟ ୫ ଶହ ବନ୍ଧୁ ହୋଇ ଯାଇଥିଲେ। ଧିରେ ଧିରେ ଏହା ବଢି ୫ ହଜାରରେ ପହଞ୍ଚିଥିଲେ। ଫଳରେ ଫେସ୍‌ବୁକ୍‌ରେ ସେ ଆଉ କାହାସହ ବନ୍ଧୁତା କରିପାରି ନ ଥିଲେ। ଆଉ ଏହି ୫ ହଜାର ବନ୍ଧୁଙ୍କ ମଧ୍ୟରୁ ପ୍ରାୟ ସାଢେ ୩ ହଜାର ଥିଲେ ଯୁବତୀ। ଏମାନେ ନୁରୁଲଙ୍କୁ ଆଇପିଏସ୍‌ ଭାବି ତାଙ୍କ ପ୍ରେମରେ ପଡିଥିବା ସେ କୁହନ୍ତି। ତେବେ ଏହି ଯୁବତୀମାନଙ୍କ ମଧ୍ୟରୁ ଅନେକ ନୁରୁଲଙ୍କୁ ଆଇ ଲଭ୍‌ ୟୁ ମେସେଜ୍‌ ପଠାଇଥିବା ବେଳେ ନୁରୁଲ ମଧ୍ୟ ତାଙ୍କୁ ଆଇ ଲଭ୍‌ ୟୁ କହିଥିବା ଦେଖିବାକୁ ମିଳିଛି। ଗତ ୬ ମାସ ଧରି ନୁରୁଲ ଏମିତି କରି ଆସୁଥିବା ବେଳେ ଅନେକେ ଯୁବତୀ ତାଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବରେଲିର। ନୁରୁଲ କୁହନ୍ତି ସେ ହାଇସ୍କୁଲ ପାସ୍‌ କରି ନାହାଁନ୍ତି। କିନ୍ତୁ ଅଳ୍ପକିଛି ଇଂରାଜୀ ଜାଣିଛନ୍ତି। ଏବେ ସେ ୧୬ଜଣ ଯୁବତୀଙ୍କ ସହ ଚାଟ୍‌ କରୁଛନ୍ତି। ପ୍ରଥମେ ଚାଟ୍‌ ତା’ପରେ ବିବାହ ପ୍ରସ୍ତାବ ଓ ପରେ ଯୁବତୀମାନେ ତାଙ୍କ ନିକଟକୁ ଅଶ୍ଳୀଳ ଫଟୋ ପଠାନ୍ତି ବୋଲି ସେ କହିଛନ୍ତି। ତେବେ ଏ ସମସ୍ତ ଘଟଣା ତାଙ୍କ ସ୍ତ୍ରୀ ଜାଣିବା ପରେ ନୁରୁଲଙ୍କର ପାଖାପାଖି ୫ଟି ମୋବାଇଲ ସେ ଭାଙ୍ଗି ଦେଇଥିଲେ। ହେଲେ ଏତିକିରେ ସୁଧୁରି ନ ଥିଲେ ନୁରୁଲ। ଏହାପରେ ମଧ୍ୟ ସେ ଚାଟିଂ ଜାରି ରଖିଥିବାରୁ ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ଏବେ ପୋଲିସ ତାଙ୍କୁ ଗିରଫ କରିଛି।

Share