Categories: ଖେଳ

୫୦ ଲକ୍ଷ ଟଙ୍କାର ଚାଉଳ ଦାନ କଲେ ଗାଙ୍ଗୁଲି

କୋଲକାତା, ୨୬।୩ (ପି.ଟି.)- ମହାମାରୀ ରୂପ ନେଇ ସାରିଥିବା ପ୍ରାଣଘାତୀ କରୋନା ଭାଇରସ୍‌ର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ପୁରା ଭାରତକୁ ୨୧ ଦିନ ପାଇଁ ଲକ୍‌ ଡାଉନ୍‌ କରିଦେଇଛନ୍ତି। ଏଭଳି ଏକ ଘଡ଼ସନ୍ଧି ମୁହୂର୍ତ୍ତରେ ପ୍ରଭାବିତ ହୋଇଥିବା ଲୋକଙ୍କ ସହାୟତା ପାଇଁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଆଗେଇ ଆସିଛନ୍ତି। ଗାଙ୍ଗୁଲି ଏହି ଅବସରରେ ୫୦ ଲକ୍ଷ ଟଙ୍କାର ଚାଉଳ ପ୍ରଭାବିତ ଲୋକଙ୍କ ଉଦ୍ଦେଶ୍ୟରେ ଦାନ କରିଛନ୍ତି। ପ୍ରଭାବିତ ଲୋକ ଯେଉଁମାନେ କି ସୁରକ୍ଷିତ ରହିବା ପାଇଁ ପଶ୍ଚିମବଙ୍ଗର ସରକାରୀ ସ୍କୁଲରେ ଆଶ୍ରୟ ନେଇଛନ୍ତି ସେମାନଙ୍କୁ ଲାଲ୍‌ ବାବା ରାଇସ୍‌ ଓ ଗାଙ୍ଗୁଲି ମିଳିତ ଭାବେ ଏହି ଚାଉଳ ପ୍ରଦାନ କରିଛନ୍ତି। କ୍ରିକେଟ୍‌ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ପକ୍ଷରୁ ବୁଧବାର ଏହା କୁହାଯାଇଛି। ‘ଆମ ରାଜ୍ୟର ପ୍ରଭାବିତ ଜନତାଙ୍କ ସେବା ପାଇଁ ଗାଙ୍ଗୁଲିଙ୍କ ଏହି ପ୍ରୟାସ ଅନ୍ୟ ଲୋକମାନଙ୍କୁ ସମାନ ପଦକ୍ଷେପ ନେବା ପାଇଁ ପ୍ରୋତ୍ସାହିତ କରିବ’ ବୋଲି ରାଇସ୍‌ କମ୍ପାନୀ ପକ୍ଷରୁ କୁହାଯାଇଛି।
ସିଏବି ଦେବ ୨୫ ଲକ୍ଷ ଟଙ୍କା-
କରୋନା ଭାଇରସ୍‌ର ମୁକାବିଲା ପାଇଁ କ୍ରିକେଟ୍‌ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ଆଗେଇ ଆସିଛି। ପଶ୍ଚିମବଙ୍ଗ ସରକାରଙ୍କୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ନେଇ ସିଏବି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନିଜଆଡ଼ୁ ମଧ୍ୟ ସହାୟତା ପାଇଁ ଆଗେଇ ଆସିବାକୁ ସିଏବି ଅଧ୍ୟକ୍ଷ ଅଭିଷେକ ଡାଲମିୟା ଲୋକଙ୍କୁ କହିଛନ୍ତି।

Share