୫୦ ଜିଲାକୁ ପଠାଗଲା କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ, ୧୦ା୬: ମହାମାରୀ କରୋନା କାୟାବିସ୍ତାର କରିଚାଲିଛି। ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳରେ ଏହାର ମୁକାବିଲା କରିବା ଲାଗି ମଙ୍ଗଳବାର ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୦ ଜିଲାକୁ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍‌ ପଠାଯାଇଛି। ଏହି ଟିମ୍‌ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବ। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇମାସ ଧରି ଏହି ଟିମ କଣ୍ଟେନମେଣ୍ଟ ଜୋନ୍‌ରେ ବିଭିନ୍ନ ପରୀକ୍ଷା କରିବା ସହ ସ୍ଥାନୀୟ ପ୍ରଶାସନର ସହଯୋଗ କ୍ରମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାପଡ଼ିଛି। ମହାରାଷ୍ଟ୍ରର ୭, ତେଲଙ୍ଗାନାର ୪, ତାମିଲନାଡ଼ୁର ୭, ରାଜସ୍ଥାନର ୫, ଆସାମର ୬, ହରିୟାଣାର ୪, ଗୁଜରାଟର ୩, କର୍ନାଟକର ୪, ଉତ୍ତରାଖଣ୍ଡର ୩, ମଧ୍ୟପ୍ରଦେଶର ୫, ପଶ୍ଚିମବଙ୍ଗର ୩, ଦିଲ୍ଲୀର ୩, ବିହାରର ୪, ଉତ୍ତରପ୍ରଦେଶର ୪ ଓ ଓଡ଼ିଶାର ୫ ଜିଲା ଏଥିରେ ରହିଛି। କେନ୍ଦ୍ରୀୟ ଟିମ୍‌ ଟେକ୍ନିକାଲ ସପୋର୍ଟ ଯୋଗାଇବା ସହ ପରିଚାଳନା କ୍ଷେତ୍ରରେ ସହଯୋଗ କରିବ। ପ୍ରକାଶଥାଉ କି, ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨.୬୭ ଲକ୍ଷ ଛୁଇଁଥିବା ବେଳେ ମୃତ୍ୟୁସଂଖ୍ୟା ୭,୪୬୬କୁ ବୃଦ୍ଧିପାଇଛି।

Share