Categories: ଜାତୀୟ

୫୦ ଖିଲାପିଙ୍କ ତାଲିକା ମାଗିଲେ ରାହୁଲ

ନୂଆଦିଲ୍ଲୀ, ୧୭।୩: ଲୋକ ସଭାରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନାଦାୟ ଋଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ସବୁଠାରୁ ଅଧିକ ଋଣ ଖିଲାପ କରି ଜାଣିଶୁଣି ଶୁଝୁ ନ ଥିବା ୫୦ ଜଣଙ୍କ ତାଲିକା ସରକାର ଦେବା ଲାଗି ସେ ଦାବି କରିଥିଲେ। ରାହୁଲଙ୍କୁ ଅନ୍ୟ ଏକ ପ୍ରଶ୍ନ ପ୍ରଚାରିବାର ସୁଯୋଗ ନ ଦେଇ ବାଚସ୍ପତି ଓମ୍‌ ବିର୍ଲା ପ୍ରଶ୍ନକାଳକୁ ଶେଷ କରିଥିବା ବେଳେ ଏହାକୁ ନେଇ ଦଳ ପକ୍ଷରୁ ହୋ ହଲ୍ଲା କରାଯିବା ପରେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।
ପ୍ରାରମ୍ଭିକ ପ୍ରଶ୍ନରେ ରାହୁଲ କହିଥିଲେ, ବ୍ୟାଙ୍କଗୁଡ଼ିକ ପାଖରେ ଲିଖିତ ଭାବେ ଅନାଦେୟ ଋଣ ତାଲିକା ଓ ଋଣ ଖିଲାପକାରୀଙ୍କ ତଥ୍ୟ ରହିଥିଲେ ସୁଦ୍ଧା ପ୍ରଶ୍ନୋତ୍ତର ବେଳେ ନିର୍ଦ୍ଦିଷ୍ଟ ଉତ୍ତର ମିଳୁନାହିଁ। ବ୍ୟାଙ୍କରୁ ଟଙ୍କା ଏକପ୍ରକାର ଚୋରି ହୋଇଯାଉଛି। ପ୍ରଧାନମନ୍ତ୍ରୀ ଋଣ ଖିଲାପକାରୀ ଓ ଆର୍ଥିକ ପଳାତକଙ୍କୁ ଛଡ଼ାଯିବ ନାହିଁ ବୋଲି କହିଆସୁଛନ୍ତି। ହେଲେ ମୋ ସାମାନ୍ୟ ପ୍ରଶ୍ନର ଉତ୍ତର ମିଳିପାରୁ ନାହିଁ ବୋଲି ରାହୁଲ କହିଥିଲେ।

Share