୫-ଟି ସଚିବଙ୍କ ରାୟଗଡ଼ା ଗସ୍ତ: ରୋଗୀଙ୍କ ସମସ୍ୟା ପଚାରି ବୁଝିଲେ, ଡାଇଲୋସିସ୍‌ ୱାର୍ଡ କାନ୍ଥ ନଷ୍ଟ ନେଇ ବିରକ୍ତି

ରାୟଗଡ଼ା ଅଫିସ ,୧୦ା୯- ୫-ଟି ସଚିବ ଭି.କେ ପାଣ୍ଡିଆନ ଗୁରୁବାର ରାୟଗଡ଼ା ଗସ୍ତ କରିଛନ୍ତିି । ସେ କଳାହାଣ୍ଡିରୁ ଏକ ହେଲିକେପ୍ଟର ଯୋଗେ ଆସି ରାୟଗଡ଼ାର ଡ଼ିସିଡ଼ି ଖେଳପଡ଼ିଆରେ ଓହ୍ଲାଇଥିଲେ। ତାଙ୍କ ସହ ଜାତୀୟ ଗ୍ରାମୀଣ ମିଶନର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ଉପଦେଷ୍ଟା ବା ସଚିବ ଆର ବାଲ କ୍ରିଷ୍ଣା ଗସ୍ତ କରିଛନ୍ତି। ସେ ଜିଲା ମୁଖ୍ୟଚିକିତ୍ସାଳୟକୁ ଯାଇ ବିଭିନ୍ନ ୱାର୍ଡ଼ ବୁଲି ଦେଖିଥିଲେ। ପରେ ରୋଗୀ ଓ ସମ୍ପର୍କୀୟଙ୍କୁ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ରୋଗୀ ସେବା ନେଇ ଡାକ୍ତରଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ପାଣ୍ଡିୟାନ ଡାଇଲୋସିସ୍‌ ୱାର୍ଡକୁ ଯାଇ କିଡ଼ନୀ ରୋଗୀଙ୍କ ସମସ୍ୟା ବୁଝିଥିଲେ। ଏହି ୱାର୍ଡର କାନ୍ଥ ବର୍ଷା ପାଣିରେ ନଷ୍ଟ ହୋଇଯାଇଥିବା ଦେଖି ବିରକ୍ତି ପ୍ରକାଶ କରିଥିଲେ।ତୁରନ୍ତ ମରାମତି କରିବାକୁ କହିଥିଲେ। ଚିକିତ୍ସାଳୟକୁ ସଫାସୁତୁରା ରଖିବା ସହ ଆବଶ୍ୟକ ଯନ୍ତ୍ରପାତିର ଉପଯୋଗ କରିବା, ଡାକ୍ତର ପଦବୀ ପୂରଣ, ଲୋକେ ଯେପରି ଦଲାଲ ଶୀକାର ନ ହେବେ ସେ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମୋ ସରକାର ଯୋଜନା ତୃଣମୂଳ ସ୍ତରରେ କିପରି କାର୍ଯ୍ୟ କରୁଛି ତାହାର ଯାଞ୍ଚ କରିଥିଲେ। ପଶାସନକୁ ଅଧିକ ଉତ୍ତରଦାୟୀ, ଲୋକାଭୀମୁଖୀ ଏବଂ ଦାୟିତ୍ୱବାନ ହେବାକୁ କହିଥିଲେ। ୫-ଟି ସଚିବଙ୍କ ଗସ୍ତ ସମୟରେ ଜିଲାପାଳ ପ୍ରମୋଦ କୁମାର ବେହେରା, ଆରକ୍ଷୀ ଅଧୀକ୍ଷକ ଡ. ଶ୍ରବଣ ବିବେକ ଏମ୍‌ , ସିଡିଏମଓ ଆର୍ତ୍ତବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।