Categories: ଜାତୀୟ

୪ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପଦୋନ୍ନତି

ନୂଆଦିଲ୍ଲୀ, ୩୦-୮(ପି.ଟି.): ବିଭିନ୍ନ ହାଇକୋର୍ଟର ୪ ମୁଖ୍ୟ ବିଚାରପତିଙ୍କ ସୁପ୍ରିମକୋର୍ଟକୁ ପଦୋନ୍ନତି ନେଇ କେନ୍ଦ୍ର ନିଷ୍ପତ୍ତି ଗ୍ରହଣ କରିଥିବାବେଳେ ସୁପ୍ରିମକୋର୍ଟର କଲେଜିୟମ ଏହାକୁ ଗୁରୁବାର ସ୍ବୀକୃତି ପ୍ରଦାନ କରିଛନ୍ତି। ହିମାଚଳ ପ୍ରଦେଶର ମୁଖ୍ୟ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟନ୍‌, ପଞ୍ଜାବ ଓ ହରିୟାଣାର ମୁଖ୍ୟ ବିଚାରପତି ଜଷ୍ଟିସ କ୍ରିଷ୍ଣ ମୁରାରି, ରାଜସ୍ଥାନର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ରବୀନ୍ଦ୍ର ଭଟ୍ଟ ଓ କେରଳର ମୁଖ୍ୟ ବିଚାରପତି ଜଷ୍ଟିସ ହୃଷୀକେଶ ରାୟଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ମିଳିବ।
ରାମସୁବ୍ରମଣ୍ୟନ୍‌ ଗତ ଜୁନ୍‌ ୨୨ରୁ ହିମାଚଳ ପ୍ରଦେଶର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟାରମ୍ଭ କରିଥିଲେ। ତା’ପୂର୍ବରୁ ସେ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଓ ତେଲେଙ୍ଗାନା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ସେହିଭଳି ଜଷ୍ଟିସ ମୁରାରି ୨୦୧୮ ଜୁନ୍‌ ୨ରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ଆଲ୍ଲାହାବାଦ ହାଇକୋର୍ଟର ଅତିରିକ୍ତ ବିଚାରପତି ଓ ପରେ ସ୍ଥାୟୀ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଅନୁରୂପ ଭାବେ ଜଷ୍ଟିସ ଭଟ୍ଟ ୨୦୧୯ ମେ ୫ରୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦଭାର ସମ୍ଭାଳିଥିଲେ। ଏହା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଓ ପରେ ସ୍ଥାୟୀ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଅପରପକ୍ଷରେ ଜଷ୍ଟିସ ରୟ ୨୦୧୮ ଅଗଷ୍ଟ ୮ରେ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱଗ୍ରହଣ କରିଥିଲେ। ପୂର୍ବରୁ ସେ ଏଠାରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଥିଲେ।

Share