Categories: ଫୁରସତ

୪ ଶାବକ ଜନ୍ମଦେଲା ‘ଜୀବଦା’

ଜୟପୁର: ସାଧାରଣତଃ ଚିତାବାଘ ଥରକରେ ୨ରୁ ୩ଟି ଛୁଆ ଜନ୍ମ ଦେଇଥାଏ। ହେଲେ ରାଜସ୍ଥାନର ପାଲି ଜିଲା ଅଧୀନ ଜଓ୍ବାଇ ବନ୍ଧ ଲିଓପାର୍ଡ କଞ୍ଜର୍ଭେଶନ ରିଜର୍ଭରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ଚିତାବାଘ ନିକଟରେ ୪ଟି ଛୁଆ ଜନ୍ମ ଦେଇଛି। ତେବେ ଚିତାବାଘ ଏକାସଙ୍ଗେ ୪ଟି ଛୁଆ ଜନ୍ମ ଦେବା ଘଟଣା ଏହି ଅଞ୍ଚଳର ଇତିହାସରେ ଦ୍ୱିତୀୟ ଘଟଣା ବୋଲି କୁହାଯାଉଛି। ଏହି ଚିତାର ନାମ ‘ଜୀବଦା’ ବୋଲି ଜଣାପଡ଼ିଛି। ଶନିବାର ସନ୍ଧ୍ୟାରେ ସେ ୪ ଛୁଆଙ୍କୁ ଜନ୍ମ ଦେଇଛି। କେତେଜଣ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ଚିତା ଛୁଆମାନଙ୍କ ସହ ଜୀବଦାର ଫଟୋ ଉତ୍ତୋଳନ କରିଥିବା ଜଣାପଡ଼ିଛି। ବନ ବିଭାଗର ଜଣେ କର୍ମଚାରୀଙ୍କ କହିବା ହେଲା ଏହି ଅଞ୍ଚଳର ନାମ ମଧ୍ୟ ଜୀବଦା। ତେବେ ଏହି ଚିତାବାଘ(ଜୀବଦା) ୨୦୧୮ରେ ମଧ୍ୟ ୨ଟି ଛୁଆ ଜନ୍ମ ଦେଇଛି। ଅଞ୍ଚଳରେ ଚିତାଙ୍କ ସଂଖ୍ୟା ବୃଦ୍ଧି ପାଇବା ନିଶ୍ଚିତଭାବେ ଶୁଭ ସଙ୍କେତ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅନେକ ବନ୍ୟପ୍ରାଣୀ ପ୍ରେମୀ ଏବଂ ତଥ୍ୟ ଅନୁଯାୟୀ, ଗୋଟିଏ ଚିତା ୪ଛୁଆ ଜନ୍ମଦେବା ଜଓ୍ବାଇରେ ପ୍ରଥମ ଘଟଣା। ଏ ନେଇ ‘ଲିଓପାର୍ଡ ଆଣ୍ଡ ଶେଫର୍ଡସ୍‌ ଅଫ୍‌ ଜଓ୍ବାଇ’ ନାମକ ଏକ ପୁସ୍ତକର ସହ ଲେଖକଭାବେ ବନ୍ୟପ୍ରାଣୀ ସଂରକ୍ଷକ ଶତ୍ରୁଞ୍ଜୟ ପ୍ରତାପ ସିଂ କୁହନ୍ତି, ଏଥିପୂର୍ବରୁ ୨୦୧୮ ନଭେମ୍ବରରେ ‘ଦେବା’ ନାମକ ଅନ୍ୟ ଏକ ଚିତାବାଘ ୪ଟି ଛୁଆ ଜନ୍ମ ଦେଇଥିବା ଏହି ପୁସ୍ତକରେ ଫଟୋ ସହ ପ୍ରମାଣ ରହିଛି। ଏହି ଶାବକଗୁଡ଼ିକ ମାର୍ଚ୍ଚ ୨୦୧୯ରେ ବାହାରକୁ ଯିବା ଆରମ୍ଭ କରିଥିଲେ ବୋଲି ସେ କୁହନ୍ତି। ସେହିପରି ବନ୍ୟପ୍ରାଣୀ ପ୍ରେମୀ ନବୀନ ମେନନ୍‌ଙ୍କ କହିବା ହେଲା ଜଓ୍ବାଇ ଅଞ୍ଚଳର ସ୍ବାତନ୍ତ୍ର୍ୟ ରହିଛି। କର୍ନାଟକର କାବିନି ସଂରକ୍ଷିତ ଜଙ୍ଗଲ ଭଳି କେତେକ ଜଙ୍ଗଲରେ ଚିତାବାଘମାନେ ଗଛରେ ରହିଥାନ୍ତି। ତେବେ ଜଓ୍ବାଇ ବନ୍ଧ ଏକମାତ୍ର ସ୍ଥାନ, ଯେଉଁଠାରେ କି ଚିତାମାନେ ଗୁମ୍ଫାରେ ରହୁଥିବା ଦେଖିବାକୁ ମିଳିଥାଏ। ଜଓ୍ବାଇର ୬୦ କି.ମି. ପର୍ଯ୍ୟନ୍ତ ଅଞ୍ଚଳ ବିଶ୍ୱ ମାନଚିତ୍ରରେ ଚିତାବାଘ ଅଞ୍ଚଳଭାବେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।

Share