୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ

ବାଲେଶ୍ୱର ଅଫିସ, ୮।୯-ବାଲେଶ୍ୱର ସହଦେବଖୁଣ୍ଟା ମଡେଲ ଥାନା ପୋଲିସ ଶନିବାର ବିଳମ୍ବିତ ରାତିରେ ଅଡର ବଜାର ଅଞ୍ଚଳରେ ଚଢାଉ କରି ୪୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ। ଏଥିରେ ସମ୍ପୃକ୍ତ ୨ଜଣ ବେପାରୀଙ୍କୁ ଗିରଫ କରାଯିବା ସହ ଏକ କାର (ନଂ. ଓଡି୦୫୦୬) ଜବତ କରାଯାଇଛି। ୨ ବେପାରୀଙ୍କୁ ରବିବାର କୋର୍ଟଚାଲାଣ କରାଯାଇଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେଶ କୁମାର ପାଣିଗ୍ରାହୀ ଓ ଥାନା ଅଧିକାରୀ ପରେଶ ରାଉତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଗିରଫ ଦୁଇ ଯୁବକ ହେଲେ ପୁରୀ ଜିଲା କୋଣାର୍କ ଥାନା ଜୁନେଇ ଗ୍ରାମର ଦିଲୀପ କାଣ୍ଡି (୩୨) ଏବଂ କଟକ ଜିଲା ବକ୍ସି ବଜାର ଥାନା ମକରାବାଗ ଅଞ୍ଚଳର ସୁଜିତ ମିଶ୍ର(୪୩)। ସେମାନଙ୍କଠାରୁ ୩ଟି ମୋବାଇଲ ଫୋନ, ୪ହଜାର ଟଙ୍କା ପୋଲିସ ଜବତ କରାଯାଇଛି। ଏନେଇ ସହଦେବଖୁଣ୍ଟା ମଡେଲ ଥାନାରେ ଏକ ମାମଲା (ନଂ.୨୬୦/୧୯)ରୁଜୁ କରାଯାଇଛି। ଅଡର ବଜାର ଅଞ୍ଚଳରେ ବ୍ରାଉନସୁଗାର କାରବାର ଚାଲିଥିବାର ଖବର ପାଇ ପୋଲିସ ଚଢାଉ କରିଥିଲା। ପୋଲିସକୁ ଦେଖି ବେପାରୀମାନେ ପଳାଇବାକୁ ଚେଷ୍ଟା କରିଥିଲେ। ପୋଲିସ ତାଙ୍କ ପିଛା କରି ଫୁଲାଡିସ୍ଥିତ ହରିପୁର ଛକରେ ସେମାନଙ୍କୁ ଧରିଥିଲା। ।