୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

କଟକ ରୋଡ,୧୪ା୯(ଡି.ଏନ୍‌.ଏ.): କମିଶନରେଟ ପୋଲିସର କୁଇକ ଆକ୍ସନ ଟିମ ଓ ଲକ୍ଷ୍ମୀସାଗର ପୋଲିସ ରାଜଧାନୀର ବମିଖାଲ ଅଞ୍ଚଳରେ ଚଢ଼ାଉ କରି ୩ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ଅଧୀନ ବମିଖାଲ ତଳ ଭୋଇସାହିରେ ରହୁଥିବା ସଞ୍ଜୟ କୁମାର ଭୋଇ ଓରଫ ମିଞ୍ଜା, ମୟୂରଭଞ୍ଜ ଜିଲା ବଡ଼ସାହି ଥାନା କେନ୍ଦୁଡିହା ଗ୍ରାମର ଚକ୍ରଧର ବେହେରା ଓରଫ ଜଟିଆ ଓ ବାଲେଶ୍ୱର ଜିଲା ସହଦେବ ଖୁଣ୍ଟା ଥାନା ନୂଆବଜାର ଅଞ୍ଚଳର ସେଖ ଇକବାଲ। ଏମାନଙ୍କ ଠାରୁ ୪୧ଗ୍ରାମ ବ୍ରାଉନସୁଗାର, ୩୭ହଜାର ୧୮୦ଟଙ୍କା ଓ ଗୋଟିଏ ସ୍କୁଟି ଜବତ ହୋଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୪ଳକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଲକ୍ଷ୍ମୀସାଗର ଥାନା ଅଧିକାରୀ ଦୟାନିଧି ନାୟକ କହିଛନ୍ତି। ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେବ ଏହି ୩ ଅଭିଯୁକ୍ତ ବମିଖାଲ କେନାଲ ରୋଡରେ ବ୍ରାଉନସୁଗାର ବିକ୍ରି କରୁଥିବା ନେଇ କ୍ୟୁଏଟି ଓ ସ୍ଥାନୀୟ ପୋଲିସକୁ ସୂଚନା ମିଳିଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରେ ଅଭିଯୁକ୍ତମାନେ ନିଶାଦ୍ରବ୍ୟ ବିକ୍ରି କରୁଥିବା ବେଳେ ସେମାନଙ୍କୁ ଧରାଯାଇଥିଲା। ଅଭିଯୁକ୍ତମାନେ ବ୍ୟବହାର କରୁଥିବା ୩ ମୋବାଇଲ ଫୋନକୁ ଜବତ କରିବା ପରେ ଯାଞ୍ଚ ଆରମ୍ଭ କରିଛି। ଏ ନେଇ ଥାନାରେ ଏକ ମାମଲା(ନଂ.୨୫୫/୧୯)ରୁଜୁ ହୋଇଛି।