୪ ଯାଏ ବଡ଼ ବର୍ଷା ନାହିଁ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ରାଜ୍ୟରୁ ଲଘୁଚାପ ଅପସରି ଯାଇଛି। ଆସନ୍ତା ନଭେମ୍ବର ୪ ତାରିଖ ଯାଏ କୌଣସି ବଡ଼ ବର୍ଷାର ସମ୍ଭାବନା ନାହିଁ । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ୨୮ ତାରିଖରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ ଏବଂ ନବରଙ୍ଗପୁର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇଛି। ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀରେ ସର୍ବାଧିକ ୫୪.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର ୧୪.୨, ଚାନ୍ଦବାଲି ୫.୨, ପାରାଦୀପ ୧୦.୩, ଭୁବନେଶ୍ୱର ୫, ଗୋପାଳପୁର ୩, ବାରିପଦା ୫, କେନ୍ଦୁଝର ୧୧.୪, କୋରାପୁଟ ୨, ଟିଟିଲାଗଡ଼୨ ଏବଂ ଦାରିଙ୍ଗବାଡ଼ିରେ ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।