Categories: ଗଞ୍ଜାମ

୪ ବଖରାରେ ୮ ଶ୍ରେଣୀ: ବିଦ୍ୟାଳୟ ବାରଣ୍ଡାରେ ଚାଲିଛି ପାଠପଢ଼ା

ଆସିକା,୨୩ା୧୧ (ଡି.ଏନ୍‌.ଏ.) -ଆସିକା ବ୍ଲକ ଦେବଭୂମି ପଞ୍ଚାୟତ ମାମୁଡିହ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମୁଦାୟ ୮ଟି ଶ୍ରେଣୀ ରହିଛି। ମାତ୍ର ୪ଟି ଶ୍ରେଣୀଗୃହ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ଘୋର ଅସୁବିଧା ଦେଖାଦେଇଛି। ଛାତ୍ରୀଛାତ୍ରମାନେ ଆବଶ୍ୟକୀୟ ଶ୍ରେଣୀ ଗୃହ ଅଭାବରୁ ବାରଣ୍ଡାରେ ବସି ପଢୁଥିବାବେଳେ ବର୍ଷାହେଲେ ପାଠପଢା ବନ୍ଦ ହୋଇଯାଉଛି। ବିଦ୍ୟାଳୟ ପରିସରରେ ତିନୋଟି ଶ୍ରେଣୀ ଗୃହ ଲାଗି ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପ୍ରାୟ ୪ ବର୍ଷ ହେଲା ରହିଛି। ଏହାକୁ ସମ୍ପୂର୍ଣ୍ଣ କରି ଛାତ୍ରୀଛାତ୍ରଙ୍କ ଅଧ୍ୟୟନ ଉପଯୋଗୀ କରିବାକୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବହୁବାର ବିଭାଗୀୟ ଅଧିକାରୀ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନଥିବା ଦେବଭୂମି ସମିତିସଭ୍ୟ ସନ୍ତୋଷ କୁମାର ନାୟକ ଅଭିଯୋଗ କରିଛନ୍ତି। ତୁରନ୍ତ ଏହାର ସମାଧାନ ନ ହେଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ନାୟକ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଶିକ୍ଷାବିଭାଗ ଅଧିକାରୀଙ୍କୁ ପଚାରିବାରୁ ସମ୍ପୃକ୍ତ ବିଦ୍ୟାଳୟରେ ୮ଟି ଶ୍ରେଣୀରେ ୧୬୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ତେବେ ଏହି ଅର୍ଦ୍ଧନିର୍ମିତ ଗୃହ ସମ୍ପୂର୍ଣ୍ଣ କରିବାକୁ ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯିବ ବୋଲି ସହକାରୀ ଗୋଷ୍ଠି ଶିକ୍ଷାଧିକାରୀ ଭାଗିରଥି ପାତ୍ର କହିଛନ୍ତି।