୪ ଦିନ ୧୦ ଜିଲାରେ ହିଟ୍‌ ୱେଭ୍‌

ଭୁବନେଶ୍ୱର,୨୫।୫(ବ୍ୟୁରୋ): ସାରା ରାଜ୍ୟରେ ଅସମ୍ଭାଳ ହୋଇପଡ଼ିଛି ଖରା ତାତି। ଗତ ଦୁଇଦିନ ହେଲା ୪୫ ଡିଗ୍ରୀ ଉପରେ ପାରଦ ରହିଥିବାବେଳେ ରବିବାର ମଧ୍ୟ ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁଥିଲା। ତାଳଚେରରେ ୪୪.୪ ଡିଗ୍ରୀ, ବଲାଙ୍ଗୀର ଓ ଭବାନୀପାଟଣାରେ ୪୪, ମାଲକାନଗିରି ୪୩.୩, ସୋନପୁର ୪୩, ସମ୍ବଲପୁର ଓ ପାରଳାଖେମୁଣ୍ଡିରେ ୪୨.୨ ଓ ଟିଟିଲାଗଡ଼ର ସର୍ବାଧିକ ତାପମାତ୍ରା ୪୫.୮ ଡିଗ୍ରୀ ରେକର୍ଡ କରାଯାଇଛି। ତେବେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୦ ଜିଲାରେ ହିଟ୍‌ ୱେଭ୍‌ ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସେସବୁ ଜିଲାକୁ ୪ ଦିନ ପାଇଁ ହିଟ୍‌ ୱେଭ୍‌ ୱାର୍ନିଂ ଜାରି କରିଛି। ସେହି ଜିଲାଗୁଡ଼ିକ ହେଲା ବଲାଙ୍ଗୀର, କଳାହାଣ୍ଡି, ଅନୁଗୋଳ, ବୌଦ୍ଧ, ସୋନପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡା, ମାଲକାନଗିରି ଓ ସମ୍ବଲପୁର। ଛୋଟ ପିଲା, ଅସୁସ୍ଥ ଓ ବୟସ୍କ ବ୍ୟକ୍ତିଙ୍କୁ ଖରାରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି। ହିଟ୍‌ ଓ୍ବେଭ୍‌ ନେଇ ସୋମବାର ଦିନ ଏହି ୧୦ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ମଙ୍ଗଳବାରରୁ ଗୁରୁବାର ପର୍ଯ୍ୟନ୍ତ ଅର୍ଥାତ୍‌ ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।
ସେପଟେ ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ଆକଳନ କରିଛି। ୨୬ ଓ ୨୭ରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୭ ଜିଲାର କିଛି ଅଞ୍ଚଳରେ ବର୍ଷା ହେବା ଆଶଙ୍କା ରହିଛି। ୨୮ରେ ଉପକୂଳ ଓଡ଼ିଶାର କିଛି ସ୍ଥାନ ସହିତ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୋଳ, ଢେଙ୍କନାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଜିଲାରେ ସ୍ବଳ୍ପ ବର୍ଷା ହେବ। ତେବେ ଉକ୍ତଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୋଳ, ଢେଙ୍କନାଳ, ବାଲେଶ୍ୱର ପରି ୧୩ ଜିଲାରେ ଘଡ଼ଘଡ଼ି ବିଜୁଳି ସହ ଝଡ଼ତୋଫାନ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।