୪ ଜଣରେ ଜଣେ ଭୋକିଲା

ନ୍ୟୁୟର୍କ,୨୨ା୬(ଆଇଏଏନ୍‌ଏସ୍‌): କରୋନା ଭୂତାଣୁର ମୁକାବିଲା ପାଇଁ ବ୍ରିଟେନ ଦୀର୍ଘଦିନ ଲକ୍‌ଡାଉନରେ ରହିବା ପରେ ଏବେ ସେଠାରେ ଉତ୍କଟ ଖାଦ୍ୟାଭାବ ଦେଖାଦେଇଛି। ସେଠାରେ ପ୍ରତି ୪ ଜଣରେ ଜଣେ ବୟସ୍କ ବ୍ୟକ୍ତି କ୍ଷୁଧାରେ ରହିବା ସହ ଅପପୁଷ୍ଟିର ସମ୍ମୁଖୀନ ହୋଇଥିବା ଏକ ସର୍ଭେରେ କୁହାଯାଇଛି। ଫିଡିଙ୍ଗ ବ୍ରିଟେନ ଆଣ୍ଡ ନର୍ଥୁମ୍ବ୍ରିଆ ୟୁନିଭର୍ସିଟିର ହେଲ୍‌ଦି ଲିଭିଙ୍ଗ ଲାବ୍‌ ପକ୍ଷରୁ କରାଯାଇଥିବା ଏହି ସର୍ଭେ ଅନୁଯାୟୀ ବ୍ରିଟେନ୍‌ର ୨୫% ବ୍ୟକ୍ତି ମହାମାରୀ ବେଳେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପିଲାମାନଙ୍କୁ ଖୁଆଇବା ପାଇଁ ସେମାନଙ୍କୁ ଅଧା ପେଟରେ ରହିବାକୁ ପଡୁଥିଲା। ନିଜ ମର୍ଯ୍ୟାଦା, ସ୍ବାଧୀନତା ଓ ସ୍ବାବଲମ୍ବନତା ବଜାୟ ରଖିବାକୁ ଯାଇ ସେମାନଙ୍କୁ ଏଭଳି କରିବାକୁ ପଡୁଥିବା ଫିଡିଙ୍ଗ ବ୍ରିଟେନ୍‌ର ନିର୍ଦ୍ଦେଶକ ଆଣ୍ଡ୍ର୍ୟୁ ଫୋର୍‌ସେ କହିଛନ୍ତି।
ବ୍ରିଟେନର ୫୦ ପ୍ରତିଶତ ବୟସ୍କ ବ୍ୟକ୍ତି କମ୍‌ ଦାମ୍‌ର ଖାଦ୍ୟସାମଗ୍ରୀ କିଣି କୌଣସି ପ୍ରକାରେ ଚଳିଯିବାକୁ ଚେଷ୍ଟା କରୁଛନ୍ତି, ଯାହା କି ସେମାନେ ଲକ୍‌ଡାଉନ ପୂର୍ବରୁ କରୁ ନ ଥିଲେ। ପରିବାରରେ ରହୁଥିବା ୧୦ ଜଣରୁ ୯ ଜଣ ବୟସ୍କ ଖାଦ୍ୟ ଅସୁରକ୍ଷିତ। ଖାଦ୍ୟ ଯେପରି ନଷ୍ଟ ନ ହେବ ସେଥିପ୍ରତି ଏବେ ଲୋକେ ଅଧିକ ଧ୍ୟାନ ଦେଉଛନ୍ତି ଓ ଖାଦ୍ୟ ପ୍ରସ୍ତୁତିରେ ଅଧିକ ଯତ୍ନଶୀଳ ହୋଇଛନ୍ତି।

Share