Categories: ଖେଳ

୪ ଖେଳାଳି ଆହତ, ଫିଲ୍ଡିଂ କଲେ କୋଚ୍‌

ସାଉଥ୍‌ମ୍ପଟନ, ୨୫।୫(ପି.ଟି.)- ଦୀର୍ଘ ୮ ବର୍ଷ ପୂର୍ବେ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଇଂଲଣ୍ଡର ପ୍ରାକ୍ତନ ଅଧିନାୟକ ତଥା ବର୍ତ୍ତମାନ ସହାୟକ କୋଚ୍‌ ଦାୟିତ୍ୱ ତୁଲାଉଥିବା ପଲ୍‌ କଲିଂଉଡ୍‌ଙ୍କୁ ଶନିବାର ବାଧ୍ୟତାମୂଳକ ଭାବେ ଫିଲ୍ଡିଂ ପାଇଁ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିଛି। ଆଇସିସି ବିଶ୍ୱକପ୍‌ ପୂର୍ବରୁ ସ୍ଥାନୀୟ ରୋଜ୍‌ ବାଉଲ୍‌ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ ଅବସରରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଇଂଲଣ୍ଡ ଦଳର ୪ ଜଣ ଖେଳାଳିଙ୍କୁ ଆଘାତ ଲାଗିବାରୁ ଶେଷରେ ଦଳର ଫିଲ୍ଡିଂ କୋଚ୍‌ ୪୨ ବର୍ଷୀୟ କଲିଂଉଡ୍‌ଙ୍କୁ ଜର୍ସି ପିନ୍ଧି ବଦଳ ଖେଳାଳିଭାବେ ପଡ଼ିଆରେ ଫିଲ୍ଡିଂ କରିବାକୁ ପଡ଼ିଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। ନିଜର ୪ର୍ଥ ଓଭର ବୋଲିଂ କରୁଥିବାବେଳେ ମାର୍କ ଉଡ୍‌ ଆହତ ହୋଇଥିଲେ। ତାଙ୍କ ମାଂସପେଶୀ ଟାଣି ହୋଇଯିବାରୁ ସେ ପଡ଼ିଆ ଛାଡ଼ି ଚାଲି ଯାଇଥିବାବେଳେ ତାଙ୍କ ବଦଳରେ ଜୋଫ୍ରା ଆର୍ଚର ବଦଳ ଖେଳାଳି ଭାବେ ଆସିଥିଲେ। ତେବେ ସେ ମଧ୍ୟ ବ୍ରାଉଣ୍ଡରୀ ଲାଇନ୍‌ରେ ଫିଲ୍ଡିଂ କରୁଥିବା ସମୟରେ ଆଘାତପ୍ରାପ୍ତ ହୋଇଥିଲେ। ଫଳରେ ଶେଷରେ ୨୦୧୦ ଟି୨୦ ବିଶ୍ୱକପ୍‌ ବିଜୟୀ ଅଧିନାୟକ ତଥା ଦଳର ଫିଲ୍ଡିଂ କୋଚ୍‌ କଲିଂଉଡ୍‌ ପଡ଼ିଆକୁ ଓହ୍ଲାଇଥିଲେ। ସେ ଉଡ୍‌ଙ୍କ ଜର୍ସିକୁ ପରିଧାନ କରି ତାଙ୍କର ଫେଭରାଇଟ୍‌ ପଏଣ୍ଟ ସମେତ ଅନ୍ୟ ସ୍ଥାନରେ ମଧ୍ୟ ଫିଲ୍ଡିଂ କରିଥିଲେ। ୪୨ ବର୍ଷ ବୟସରେ କଲିଂଉଡ୍‌ଙ୍କ ଫିଟ୍‌ନେସ ସେଠାରେ ଉପସ୍ଥିତ ଥିବା ଦର୍ଶକଙ୍କୁ ଚକିତ କରିଥିଲା। ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଲାଗି ବିଶ୍ରାମ ନେବାକୁ ଘୋଷଣା କରିଥିବା ଜୋ ରୁଟ୍‌ ମଧ୍ୟ ଶେଷରେ ଫିଲ୍ଡିଂ କରିଥିଲେ। ଅଧିନାୟକ ଇଅନ ମୋର୍ଗାନ ଆଙ୍ଗୁଠିରେ ଆଘାତ କାରଣରୁ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିଲେ। ସେହିଭଳି ଲେଗ୍‌-ସ୍ପିନର ଆଡିଲ ରଶିଦ ମଧ୍ୟ ନେଟ୍ସରେ ବୋଲିଂ କରୁଥିବାବେଳେ କହୁଣିରେ ଆଘାତ ପାଇଥିଲେ। କଲିଂଉଡ୍‌ ଇଂଲଣ୍ଡ ପକ୍ଷରୁ ୨୦୦୧ରୁ ୨୦୧୧ ମଧ୍ୟରେ ୧୯୭ ଦିନିକିଆ ଖେଳି ୫ ହଜାର ରନ୍‌ ଓ ୧୧୧ ଉଇକେଟ୍‌ ଅକ୍ତିଆର କରିଛନ୍ତି। ସେହିଭଳି ୬୮ ଟେଷ୍ଟ ଓ ୩୬ ଟି୨୦ରେ ମଧ୍ୟ ସେ ଜାତୀୟ ଦଳ ପକ୍ଷରୁ ଖେଳିଛନ୍ତି।

Share