୪୦ ଡିଗ୍ରୀରେ ୧୦ ସହର, ଦୁଇଦିନ ଝଡ଼ତୋଫାନ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ସାରା ରାଜ୍ୟରେ ଏବେ ପ୍ରବଳ ଖରା। ତାତି ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ରବିବାର ୧୦ ସହରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ଟିଟିଲାଗଡ଼ରେ ସର୍ବାଧିକ ୪୧ଡିଗ୍ରୀ ତାପମାତ୍ରା ଥିବାବେଳେ ମାଲକାନଗିରି ଓ କଟକ ୪୦, ବୌଦ୍ଧ ୪୦.୫, ସୋନପୁର ୪୦.୨, ବଲାଙ୍ଗୀର ଓ ଭବାନୀପାଟଣା ୪୦.୫, ତାଳଚେର ୪୦.୧, ଚାନ୍ଦବାଲି ୪୦.୮, ଭୁବନେଶ୍ୱର ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପଟେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ସମ୍ଭାବନା ରହିଛି। ୧୪ ଓ ୧୫ତାରିଖ ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ସହ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ୧୪ ତାରିଖ ଦିନ କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ଝଡ଼ତୋଫାନ ସହ ବଜ୍ରପାତ ହେବ। ସେହିପରି ୧୫ ତାରିଖ ଦିନ କେନ୍ଦୁଝର, ମୟୂଭରଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଞ୍ଜାମ ଓ ଗଜପତି ଜିଲାରେ ଝଡ଼ତୋଫାନ ସହ ବଜ୍ରପାତ ହେବ। ସେଥିପାଇଁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।