୪୦ ଛୁଇଁଲା ପାରଦ, ସକାଳୁଆ ହେଲା ଅଫିସ୍‌

ଢେଙ୍କାନାଳ ଅଫିସ, ୧୬।୪: ଢେଙ୍କାନାଳ ଜିଲାରେ ଗତ ଦୁଇଦିନ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବୁଧବାର ସହରର ତାପମାତ୍ରା ୪୦ ଛୁଇଁଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ସାଢ଼େ ୩ଟା ଯାଏ ତାତିର ପ୍ରଭାବ ପରିଲକ୍ଷିତ ହୋଇଛି। ସନ୍ଧ୍ୟାରେ ଗରମ ପବନ ସହରବାସୀଙ୍କୁ ଅତିଷ୍ଠ କରିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟ ସକାଳୁଆ ହୋଇଛି। ଅନ୍ୟପଟେ ସହରର ବିଭିନ୍ନ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗର ପାଇପ ପାଣି ଯୋଗାଣରେ ସମସ୍ୟା ଉପୁଜିଛି। ଏହାକୁ ନେଇ ଜନସାଧାରଣ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। କୁଞ୍ଜକାନ୍ତସ୍ଥିତ ରାଜସ୍ବ ବିଭାଗ ସମେତ ଅନ୍ୟ ସରକାରୀ କଲୋନୀରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁଇଦିନ ହେଲା ପାଣି ଯୋଗାଣ ବନ୍ଦ ଥିଲା। ସନ୍ଧ୍ୟାରେ ମେଶିନ୍‌ ତ୍ରୁଟି ସଜଡ଼ାଯାଇଥିବାବେଳେ ଗୁରୁବାରଠାରୁ ଜଳଯୋଗାଣ ସ୍ବାଭାବିକ ହେବ ବିଭାଗର ଜଣେ ଅଧିକାରୀ କହିଛନ୍ତି।