Categories: ଜାତୀୟ

୪୦୭ ବର୍ଷରେ ଭାରତୀୟ ନୌସେନା

ନୂଆଦିଲ୍ଲୀ, ୪।୧୨: ଭାରତୀୟ ନୌସେନାକୁ ଇତିମଧ୍ୟରେ ପୂରିଛି ୪ଶହ ୭ ବର୍ଷ। ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧରେ ନୌସେନାର ବୀରତ୍ୱ ପାଇଁ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳିତ ହେଉଛି। ୧୬୧୨ ସେପ୍ଟେମ୍ବର ୫ରେ ଏହା ସ୍ଥାପିତ ହୋଇଥିଲା। ଏହା ସେତେବେଳେ ବ୍ରିଟିଶ୍‌ ବଣିକଙ୍କୁ ସୁରକ୍ଷା ଦେବା କାର୍ଯ୍ୟରେ ନିୟୋଜିତଥିଲା। ପରେ ୧୭୯୩ରେ ଏହା ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ପରିଚାଳିତ ହୋଇଥିଲା। ୧୮୩୦ରେ ଏହାର ନାମ କରଣ ହିଜ୍‌ ମାଜେଷ୍ଟିସ୍‌ ଇଣ୍ଡିଆନ୍‌ ନେଭି ଭାବେ କରାଯାଇଥିଲା। ୧୯୩୪ରେ ଏହାକୁ ଦି ଇଣ୍ଡିଆନ୍‌ ରୟାଲ ନେଭି ଭାବେ ନାମକରଣ କରାଯାଇଥିଲା। ପରେ ୧୯୫୦ରେ ଏହାକୁ ଇଣ୍ଡିଆନ୍‌ ନେଭି ବା ଭାରତୀୟ ନୌସେନା ଭାବେ ନାମିତ କରାଯାଇଥିଲା। ସମ୍ପ୍ରତି ଭାରତୀୟ ନୌସେନାରେ ୬୭ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଭାରତୀୟ ନୌସେନାରେ ସମ୍ପ୍ରତି ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିଅର, ଗୋଟିଏ ଆମ୍ଫିବିୟସ୍‌ ଟ୍ରାନ୍ସପୋର୍ଟ ଡକ୍‌, ୧୩ ଫ୍ରାଇଗେଟ୍‌, ୮ ଲ୍ୟାଣ୍ଡିଂ ଶିପ୍‌ ଟ୍ୟାଙ୍କ, ୧୧ ବିଧ୍ୱଂସକ, ୨୨କୋରଭେଟ, ଗୋଟିଏ ମାଇନ୍‌ ପ୍ରତିରୋଧୀ ଯାନ, ୧୦ ବୃହତ୍‌ ପାଟ୍ରୋଲ ଯାନ, ୪ ଫ୍ଲିଟ୍‌ ଟ୍ୟାଙ୍କର, ୭ ସର୍ଭେୟର ଜାହାଜ, ଗୋଟିଏ ରିସର୍ଚ୍ଚ ଯାନ, ୩ ଟ୍ରେନିଂ ଯାନ, ପାଟ୍ରୋଲ ବୋଟ୍‌, ଆଣବିକ ସବ୍‌ ମେରାଇନ୍‌ ଆଦି ରହିଛି। ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଁ ଏଥିରେ ଫାଇଟର ମିଗ୍‌-୨୯କେ, ହାଲ୍‌ ଧ୍ରୁବ, କାମୋଭ୍‌ କା-୨୮, କାମୋଭ୍‌ କା-୩୧, ସି କିଙ୍ଗ୍‌ ଏମ୍‌କେ-୪୨ସି, ୟୁଏଚ୍‌-୩ ସି କିଙ୍ଗ୍‌ ଆଦି ହେଲିକପ୍ଟରକୁ ସାମିଲ୍‌ କରାଯାଇଛି। ସେହିପରି ପାଟ୍ରୋଲ ଯାନ ମଧ୍ୟରେ ବୋଇଙ୍ଗ୍‌ ପି-୮ ପୋସିଡୋନ୍‌, ଲାୟୁସିନ୍‌ ୨-୩୮, ଡୋର୍ନିଅର ଡୋ- ୨୨୮ ଆଦିକୁ ସାମିଲ କରାଯାଇଛି। ତାଲିମ୍‌ ଯାନ ମଧ୍ୟରେ ବିଏଇ-ହକ୍‌, ହାଲ୍‌ ଏଚଜେଟି-୧୬ ଆଦିକୁ ଭାରତୀୟ ନୌସେନାରେ ଅନ୍ତର୍ଭୁକ୍ତ କରାଯାଇଛି।

Share