୪ରୁ ଟ୍ରେନିଂ ଆରମ୍ଭ କରିବେ ଲା ଲିଗା ଖେଳାଳି

ମାଡ୍ରିଡ,୨୯।୪ (ଏଏଫ୍‌ପି): ବିଶ୍ୱରେ କରୋନା ମହାମାରୀର ଆତଙ୍କ ଜାରି ରହିଥିଲେ ମଧ୍ୟ ସ୍ପେନ୍‌ର ଆଥଲେଟମାନେ ଆସନ୍ତା ୪ ତାରିଖରୁ ସେମାନଙ୍କର ଟ୍ରେନିଂ ଆରମ୍ଭ କରିପାରିବେ। ଏ ନେଇ ପୂର୍ବରୁ ସରକାର ଘୋଷଣା କରି ସାରିଛନ୍ତି। ଜଣଶୁଣା ସ୍ପାନିଶ ଫୁଟବଲ ଲିଗ୍‌ ଲା ଲିଗାର ଖେଳାଳିଙ୍କ ସହିତ ସବୁ ପେସାଦାର ଆଥଲେଟ୍‌ ସେମାନଙ୍କର ପ୍ରଶିକ୍ଷଣ ଆରମ୍ଭ କରିବେ। କରୋନା ଭାଇରସ କାରଣରୁ ମାର୍ଚ୍ଚ ୧୨ ତାରିଖରୁ ସ୍ପେନ ବିମାନସେବାକୁ ବନ୍ଦ ରଖିଛି।
ଦେଶରେ ୪ଟି ପର୍ଯ୍ୟାୟରେ ଲକ୍‌ଡାଉନ୍‌ ନିୟମକୁ ଉଠାଯିବ। ତେବେ ଏହା ପୂର୍ବରୁ ଖେଳାଳିଙ୍କୁ ଟ୍ରେନିଂ ସୁଯୋଗ ଦେବା ହେଉଛି ଏ ନେଇ ପ୍ରଥମ ପଦକ୍ଷେପ ବୋଲି ସ୍ପେନ୍‌ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ କହିଛନ୍ତି। ସରକାରଙ୍କ ତରଫରୁ ଘୋଷଣା ହେବା ପରେ ଲିଗ୍‌ର କ୍ଲବ୍‌ଗୁଡିକ ସେମାନଙ୍କ ଦଳର ସଦସ୍ୟମାନଙ୍କ ସହ ବ୍ୟକ୍ତିଗତ ଟ୍ରେନିଂ ସେସନ ଆରମ୍ଭ କରିବେ। ଏ ସଂକ୍ରାନ୍ତରେ ସ୍ପାନିଶ ଫୁଟବଲ ଫେଡେରେଶନ ଓ ଲା ଲିଗା ମଧ୍ୟରେ ବୁଝାମଣା ହୋଇଥିଲା। ତେବେ ଟ୍ରେନିଂକୁ ଫେରିବା ପୂର୍ବରୁ ଖେଳାଳିମାନଙ୍କୁ ସ୍କ୍ରିନିଂ ଟେଷ୍ଟ ଦେବାକୁ ହେବ ବୋଲି କୁହାଯାଇଛି। ଖେଳାଳିମାନେ ଫେରିବା ପୂର୍ବରୁ କ୍ଲବ୍‌ଗୁଡିକ ସବୁପ୍ରକାର ପ୍ରସ୍ତୁତି କରିସାରିଥିବେ। ଏକ ସମୟରେ ଅତିବେଶିରେ ୬ ଜଣ ଖେଳାଳି ପିଚ୍‌ରେ ରହିବେ ବୋଲି ସ୍ପଷ୍ଟ କରାଯାଇଛି। କୋଭିଡ-୧୯ ମହାମାରୀ କାରଣରୁ ସ୍ପେନ୍‌ରେ ୨୪, ୦୦୦ ଲୋକ ପ୍ରାଣ ହରାଇଛନ୍ତି। ମୃତ୍ୟୁର ହାର ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସ୍ପେନ୍‌ ଆମେରିକା ଓ ଇଟାଲୀ ପଛକୁ ରହିବ।

Share