୩.୪୮ଲକ୍ଷ ଜମିରେ ହେବ ଖରିଫ ଫସଲ

ବରଗଡ଼ ଅଫିସ୍‌,୨୦ା୫: ବରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ) ସମ୍ମିଳନୀ କକ୍ଷରେ ବୁଧବାର ଖରିଫ ୨୦୨୦ ପାଇଁ କୃଷି କୌଶଳ ନିର୍ଦ୍ଧାରଣ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଖରିଫ ଚାଷ ଉପରେ ଆଲୋଚନା ହେବା ସହିତ ବିଭିନ୍ନ ପ୍ରସ୍ତାବ ନିଆଯାଇଥିଲା। ମୁଖ୍ୟ ଜିଲା କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ ପ୍ରଥମେ ରବିଋତୁରେ କୃଷି ଓ ଆନୁସଙ୍ଗିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଏହା ସହିତ ଖରିଫ୍‌-୨୦୨୦ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଲକ୍ଷ୍ୟ ଉପରେ ସେ ସୂଚନା ପ୍ରଦାନ କରିଥିଲେ । ଖରିଫ୍‌-୨୦୨୦ରେ ୨ଲକ୍ଷ ୪୭ହଜାର ୨୬୮ ହେକ୍ଟର ଜମିରେ ଧାନଚାଷ, ୩୬ହଜାର ୨୬୫ ହେକ୍ଟର ଜମିରେ ଡାଲିଜାତୀୟ ଫସଲ, ୧୪ହଜାର ୨୧୨ ହେକ୍ଟର ଜମିରେ ତୈଳବୀଜ, ୩୯ହଜାର ୧୨୮ ହେକ୍ଟର ଜମିରେ ପନିପରିବା ସମେତ ମୋଟ୍‌ ୩ଲକ୍ଷ ୪୮ହଜାର ୭୪୭ ହେକ୍ଟର ଜମିରେ ଖରିଫ୍‌ ଚାଷ ହେବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଫସଲ ପର୍ଯ୍ୟାୟ ପରିବର୍ତ୍ତନରେ ୫୩୮୮ ହେକ୍ଟର ଜମିରେ ଧାନ ବଦଳରେ ଅଣଧାନ ଫସଲ ଅର୍ଥାତ୍‌ ଚିନାବାଦାମ, ମକା, ମାଣ୍ଡିଆ, ମୁଗ ଆଦି ଫସଲ କରିବା ପାଇଁ ପ୍ରସ୍ତାବ ନିଆଯାଇଥିଲା ।
ସେହିପରି ଗତ ରବିଋତୁରେ ଚିନାବାଦମ ଓ ମୁଗ ଫସଲ ଉତ୍ପାଦିତ ଦ୍ରବ୍ୟକୁ ମଣ୍ଡି ଖୋଲି ସରକାରୀ ସର୍ବନିମ୍ନ ସହାୟକ ମୂଲ୍ୟ ଯଥା ଚିନାବାଦାମ କୁଇଣ୍ଟାଲ ପ୍ରତି ୫୦୯୦ ଟଙ୍କା ଏବଂ ମୁଗ କୁଇଣ୍ଟାଲ ପ୍ରତି ୭୦୫୦ ଟଙ୍କାରେ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଚାଷୀମାନଙ୍କଠାରୁ ମାର୍କଫେଡ୍‌ କ୍ରୟ କରାଯିବାର ବ୍ୟବସ୍ଥା ହୋଇଥିବା ସୂଚନା ଦିଆଯାଇଥିଲା । ଏହାଦ୍ୱାରା ଚାଷୀମାନେ ଅଣଧାନ ଫସଲରେ ଅଭାବିବିକ୍ରୀର ସମ୍ମୁଖୀନ ହେବେ ନାହିଁ ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ଗାନ୍ଧୀ ସୂଚନା ଦେଇଥିଲେ । ଚାଷୀମାନଙ୍କୁ ଉନ୍ନତମାନର ବିହନ ଯୋଗାଇବା ଲକ୍ଷ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ ସେବା ସମବାୟ ସମିତି ଏବଂ ୨୩ଟି ପ୍ରାଇଭେଟ୍‌ ଡିଲର ମାଧ୍ୟମରେ ୪୫୫୨ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ମୋଟ୍‌ ୧୬ହଜାର କୁଇଣ୍ଟାଲ ପ୍ରାମାଣିକ ବିହନ ଯୋଗାଇବାର ଲକ୍ଷ୍ୟ ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ୨୩ହଜାର ୪୦୦ ମେଟ୍ରିକ ଟନ୍‌ ୟୁରିଆ ସମେତ ମୋଟ୍‌ ୭୦ହଜାର ୫୩୦ ମେଟ୍ରିକ ଟନ୍‌ ବିଭିନ୍ନ ସାର ଯୋଗାଇବାର ଲକ୍ଷ୍ୟ ରହିଛି ବୋଲି ସୂଚନା ଦିଆଯାଇଥିଲା । ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ, ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଗୋବିନ୍ଦ ପ୍ରଧାନ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ବିଭୂତି ଭୂଷଣ ମିଶ୍ର, ଆତ୍ମାର ଉପ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମହାନ୍ତିଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।