୩ ଶହ ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ

ଜୟପୁର,୪।୧(ନି.ପ୍ର.): କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନୂଆଗୁଡ଼ାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାତ୍ର ୩ ଶହ ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ଶ୍ମଶାନରେ ପୋତି ଦେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନୂଆଗୁଡ଼ାର ରମେଶ ପରଜା ଏଲିୟସ ବାଘ ତାଙ୍କ ସ୍ତ୍ରୀ ଡମୁଣି ପରଜା ଏଲିୟସ ହରିଜନଙ୍କ ସହ ରହୁଥିଲେ। ରମେଶ ଡମୁଣିଙ୍କୁ ୩ ଶହ ଟଙ୍କା ଦେଇଥିଲେ। ଉକ୍ତ ଟଙ୍କାରେ ଡମୁଣି ଘର ପାଇଁ କିଛି ଜିନିଷ କିଣି ଖର୍ଚ୍ଚ କରିଦେଇଥିଲେ। ଗତ ୨ ତାରିଖ ଗୁରୁବାର ରାତିରେ ରମେଶ ମଦ ପିଇ ଆସି ୩ ଶହ ଟଙ୍କା ମାଗିଥିଲେ। କିନ୍ତୁ ଡମୁଣି ଉକ୍ତ ୩ ଶହ ଟଙ୍କାରେ ଘରକରଣା ଜିନିଷ କିଣି ଦେଇଥିବା କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଡମୁଣିଙ୍କୁ ରମେଶ ପ୍ରବଳ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏକଥା କାହାକୁ ପ୍ରଘଟ ନ କରି ରମେଶ ତାଙ୍କର କେତେକ ବନ୍ଧୁଙ୍କୁ ଜଣାଇ ଶୁକ୍ରବାର ଅପରାହ୍ନରେ ଶ୍ମଶାନରେ ନେଇ ମୃତଦେହ ପୋତି ଦେଇଥିଲେ। ଖବର ପାଇ ଡମୁଣିଙ୍କ ଭାଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଦଫା ୩୦୨, ୨୮୧ରେ ୩/୨୦ରେ ଏକ ମାମଲା ରୁଜୁ କରିଛି। ତଦନ୍ତକାରୀ ଅଧିକାରୀ ଶିବ ଶଙ୍କର ସାହୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶନିବାର ମୃତଦେହକୁ ମାଟିତଳୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଘଟଣାସ୍ଥଳରେ ଏଏସ୍‌ପି ଉପତ୍ଳ ରତ୍ନ ଦାସ, ଜୟପୁର ଏସ୍‌ଡିପିଓ ବରୁଣ ଗୁଣ୍ଠପାଲି, ବୋରିଗୁମ୍ମା ଏସ୍‌ଡିପିଓ ହରେକୃଷ୍ଣ ମାଝିଙ୍କ ସହ ସଦର ଓ ଟାଉନ ପୋଲିସ ଉପସ୍ଥିତ ଥିଲେ।