୩ ରୁପା ମୂର୍ତ୍ତି ଉଦ୍ଧାର

ବାଲୁଗାଁ,୨୧ା୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁ ନିକଟ ଛେଡାପଦରସ୍ଥିତ ଶାଳିଆ ନଦୀର ଝିଞ୍ଜିରି ଶଙ୍ଖଠାରୁ ରବିବାର ୩ ରୁପା ନିର୍ମିତ ମୂର୍ତ୍ତି ଉଦ୍ଧାର ହୋଇଛି। ନୂଆ ଭଳି ଲାଗୁଥିବା ମୂର୍ତ୍ତିଗୁଡିକ ପାଣିରୁ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି।
ପ୍ରକାଶ ଯେ, ରବିବାର ସକାଳେ ସବୁଦିନ ଭଳି ଗବପଦର ଗ୍ରାମର ଧୀବର ଜଗବନ୍ଧୁ ଜାଲି ମାଛ ମାରିବା ନିମନ୍ତେ ଜାଲ ନେଇ ଉକ୍ତ ଶଙ୍ଖଠାରେ ଖନ୍ଦା ବସାଇଥିଲେ। ପୂର୍ବାହ୍ନ ୧୦ଘଟିକା ସମୟରେ ସେ ଜାଲ ଉଠାଇବା ବେଳେ ତାଙ୍କ ଗୋଡ଼ରେ ଏକ ସିମେଣ୍ଟ ଅଖା ବାଜିଥିଲା। ତାହାକୁ ସେ ଉଠାଇ ଦେଖିବାରୁ ସେଥିରେ ଶିବ, ଦୁର୍ଗା ଓ ରାଧାକୃଷ୍ଣଙ୍କ ୩ଟି ରୁପା ମୂର୍ତ୍ତି ଥିବା ଜାଣିଥିଲେ। ମୂର୍ତ୍ତିଗୁଡ଼ିକର ଉଚ୍ଚତା ୧ଫୁଟରୁ ଅଧିକ ହୋଇଥିବା ବେଳେ ଓଜନ ପ୍ରାୟ ୨କିଲୋଗ୍ରାମରୁ ଅଧିକ ହେବ। ସଙ୍ଗେ ସଙ୍ଗେ ସେ ଗ୍ରାମକୁ ଆସି ଗାଁ ମୁଖିଆ ହଟକିଶୋର ଜାଲି ଓ ଅନ୍ୟ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପ୍ରଚାରିତ ହେବା ପରେ ମୂର୍ତ୍ତିଗୁଡ଼ିକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ମୂର୍ତ୍ତିଗୁଡ଼ିକର ପ୍ରମାଣ ମିଳିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇ ଦିଆଯିବ ନଚେତ୍‌ ଯଦି କେହି ଦାବିଦାର ନ ଥିବେ ତେବେ ଗ୍ରାମରେ ଥିବା ଶୈବପୀଠ ଶ୍ରୀ ଶ୍ରୀ ବାଙ୍କନିଧି ଦେବଙ୍କ ମନ୍ଦିରରେ ରଖାଯାଇ ପୂଜାର୍ଚ୍ଚନା କରାଯିବ ବୋଲି ଗାଁ ମୁଖିଆ ଜାଲି ପ୍ରକାଶ କରିଛନ୍ତି।