୩ ମାସର ଭଡ଼ା ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ସଂକ୍ରମଣ ଦ୍ୱାରା ସାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି। ଉଭୟ ସଙ୍ଗଠିତ ଏବଂ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ସବୁ ବର୍ଗର ଲୋକ ଆର୍ଥିକ ଭାବେ ପ୍ରଭାବିତ ହୋଇଛନ୍ତି। ଓଡ଼ିଶାରେ ମଧ୍ୟ ସମାନ ଅବସ୍ଥା ଉପୁଜିଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଘରଭଡ଼ା ଦେଇଥିବା ମାଲିକମାନେ ଭଡ଼ାଟିଆଙ୍କୁ ହଇରାଣ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପିଲ କରିଛନ୍ତି। ଏ ନେଇ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ଦ୍ୱାରା ସାରା ବିଶ୍ୱ ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଏହି ଘଡିସନ୍ଧି ସମୟରେ ଘର ମାଲିକମାନେ ଭଡ଼ାଟିଆଙ୍କୁ ୩ ମାସର ମହଲତ ଦିଅନ୍ତୁ, ସେମାନଙ୍କଠାରୁ ବର୍ତ୍ତମାନ ସମୟରେ ଭଡ଼ା ଅସୁଲ କରନ୍ତୁ ନାହିଁ। ସେହିପରି ଏହି ସମୟରେ ଭଡ଼ାଟିଆଙ୍କୁ ଘର ଖାଲି କରିବାକୁ କୁହନ୍ତୁ ନାହିଁ। ଏହିପରି କରି ପରସ୍ପରକୁ ସାହାଯ୍ୟ କରନ୍ତୁ। ସାରା ବିଶ୍ୱ ଦେଖୁ ଓଡ଼ିଶା ସମସ୍ତଙ୍କ ପାଇଁ ଚିନ୍ତା କରୁଛି।