୩ ମାସରେ ସଫା ହେବ ବିନ୍ଦୁସାଗର

ଭୁବନେଶ୍ୱର, ୫ା୬(ବ୍ୟୁରୋ)- ଆସନ୍ତା ୩ ମାସ ମଧ୍ୟରେ ଐତିହ୍ୟ ପୁସ୍କରିଣୀ ବିନ୍ଦୁସାଗରର ସଫେଇ କାର୍ଯ୍ୟ ସରିବ। ଏନେଇ ରାଜ୍ୟ ସରକାରଙ୍କ ସେତୁ ନିର୍ମାଣ ନିଗମ (ଓବିସିସି) ଏବଂ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ୍‌ ଟେକ୍ନୋଲୋଜି, ଇଣ୍ଡିଆନ୍‌ ଓଡ଼ିଶା କ୍ୟାମ୍ପସ୍‌ ଭୁବନେଶ୍ୱର (ଆଇସିଟି-ଆଇଓସି)ମଧ୍ୟରେ ଶୁକ୍ରବାର ଓବିସିସି କାର୍ଯ୍ୟାଳୟ ପରିସରରେ ଏମଓୟୁ ସ୍ବାକ୍ଷରିତ ହୋଇଛି। ଏମ୍‌ଓୟୁ ଅନୁସାରେ ଲିଙ୍ଗରାଜ ମନ୍ଦିର ପରିସରରେ ଅବସ୍ଥିତ ସମସ୍ତ ପବିତ୍ର ପୋଖରୀ ମଧ୍ୟରେ ବିନ୍ଦୁସାଗରର ୨୧ ଏକର ଜମି ସମେତ ପୋଖରୀ ସଫା କରିବା ପାଇଁ ସିଷ୍ଟମ ଡିଜାଇନ୍‌ କରିବା ପାଇଁ ଆଇସିଟି ଆଇଓସି ଭୁବନେଶ୍ୱର ଆଇଟିସି ମୁମ୍ବାଇର ସହାୟତା ନେବ। ୫ ଟି ପୋଖରୀର ଜଳ ସଫା କରିବା ପାଇଁ ହାଇଡ୍ରୋ ଡାଇନାମିକ୍‌ କ୍ୟାଭିଟେସନ୍‌ ନାମକ ଏକ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯିବ। ଏହି ଟେକ୍ନୋଲୋଜିକୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ୍‌ ଟେକ୍ନୋଲୋଜି, ମୁମ୍ବାଇ ଦ୍ୱାରା ବିକଶିତ କରାଯାଇଛି ଏବଂ ଦେଶର ବିଭିନ୍ନ ପ୍ରକଳ୍ପରେ ସଫଳତାର ସହିତ ଏହାକୁ କାର୍ଯ୍ୟକାରୀ କରାଯାଇଛି।