Categories: ଜାତୀୟ

୩ ମଧ୍ୟସ୍ଥଙ୍କ ନାମ ଘୋଷଣା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨ (ପି.ଟି.): ଶାହିନବାଗ୍‌ରେ ରାସ୍ତା ଅବରୋଧ ସହ ବିକ୍ଷୋଭ କରାଯିବାକୁ ସୁପ୍ରିମକୋର୍ଟ ବିରୋଧ କରିଛନ୍ତି। ଗଣତନ୍ତ୍ରରେ ନାଗରିକମାନେ ବିକ୍ଷୋଭ କରିବା ମୌଳିକ ଅଧିକାର ହୋଇଥିଲେ ହେଁ ରାସ୍ତା ଅବରୋଧ କରି ଜନସାଧାରଣଙ୍କୁ ଅସୁବିଧାରେ ପକାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ କହିଛନ୍ତି। ବିଚାରପତି ଜଷ୍ଟିସ୍‌ କେ.ଏମ୍‌. ଯୋଶେଫ୍‌ ଓ ଜଷ୍ଟିସ୍‌ ସଞ୍ଜୟ କିଶାନ୍‌ କଉଲ୍‌ ଏଥିଲାଗି ବିକଳ୍ପ ସ୍ଥାନ ଯୋଗାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ଆଇନଜୀବୀ ସନ୍ତୋଷ ହେଗ୍‌ଡେ ଓ ସାଧନା ରାମଚନ୍ଦ୍ରନ୍‌ ଶାହିନବାଗ୍‌ ବିକ୍ଷୋଭକାରୀଙ୍କ ନିକଟକୁ ଯାଇ ସେମାନଙ୍କ ସହ ଏନେଇ ଆଲୋଚନା କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏହି ଦୁଇ ବରିଷ୍ଠ ଆଇନଜୀବୀ ବିକ୍ଷୋଭକାରୀ ଓ ସରକାରଙ୍କ ମଧ୍ୟରେ ମଧ୍ୟସ୍ଥ କାମ କରିବେ। ଏଥିସହ ଏହି ଦୁଇ ଆଇନଜୀବୀ ପୂର୍ବତନ ସୂଚନା କମିଶନର ଓ୍ବାଜାହତ୍‌ ହବିବୁଲ୍ଲାଙ୍କ ସହାୟତା ନେଇପାରିବେ ବୋଲି କୋର୍ଟ କହିଛନ୍ତି। ରାମଚନ୍ଦ୍ରନ୍‌ ୧୯୭୮ରୁ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ୨୦୦୬ରୁ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ମଧ୍ୟସ୍ଥ କାର୍ଯ୍ୟ କରିଆସୁଛନ୍ତି। ହେଗ୍‌ଡେ ୧୯୮୯ରୁ ସୁପ୍ରିମକୋର୍ଟରେ ଓକିଲାତି କରିଆସୁଛନ୍ତି। ୨୦୧୫ରେ ସର୍ବୋଚ୍ଚ ଅଦାଲତ ତାଙ୍କୁ ବରିଷ୍ଠ ଓକିଲର ମାନ୍ୟତା ପ୍ରଦାନ କରିଥିଲେ।
ଶାହିନବାଗ୍‌ରେ ସିଏଏକୁ ବିରୋଧ କରି ଡିସେମ୍ବର ୧୫ରୁ ବିକ୍ଷୋଭ ଜାରି ରହିଛି। ହଜାର ହଜାର ବିକ୍ଷୋଭକାରୀ ରାସ୍ତା ଅବରୋଧ କରିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଏହାକୁ ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯିବା ସହ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବା ଲାଗି ଅନୁରୋଧ କରାଯାଇଥିଲା।

Share