Categories: ଖେଳ

୩ ବର୍ଷ ପରେ ସେରେନା ଜିତିଲେ ଟାଇଟଲ

ଅକଲାଣ୍ଡ,୧୨।୧(ଏଏଫ୍‌ପି)- ଆମେରିକୀୟ ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସ ଦୀର୍ଘ ୩ ବର୍ଷ ପରେ କୌଣସି ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି। ଏଠାରେ ଅନୁଷ୍ଠିତ ଡବ୍ଲ୍ୟୁଟିଏ ଅକ୍‌ଲାଣ୍ଡ କ୍ଲାସିକ୍‌ ଟୁର୍ନାମେଣ୍ଟରେ ସେ ରବିବାର ଫାଇନାଲ ମ୍ୟାଚ୍‌ରେ ନିଜ ଦେଶର ଜେସିକା ପେଗୁଲାଙ୍କୁ ୬-୩, ୬-୪ ସେଟରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ବିଜୟ ହାସଲ କରିବା ପରେ ସେ ତାଙ୍କ ପୁରସ୍କାର ରାଶି (୪୩ ହଜାର ଆମେରିକୀୟ ଡଲାର)କୁ ଅଷ୍ଟ୍ରେଲିଆର ଜଙ୍ଗଲ୍‌ରେ ନିଆଁ ଲାଗିବା କାରଣରୁ କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରଦାନ କରିଥିଲେ। ଏଥିସହି ମା’ ହେବା ପରେ ସେରେନା ପ୍ରଥମ ଟାଇଟଲ ଜିତିଛନ୍ତି।
ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲରେ ସଫଳ ହେଲେ ସେରେନା କିମ୍ବଦନ୍ତୀ ଖେଳାଳି ମାର୍ଗାରେଟ କୋର୍ଟଙ୍କ ୨୪ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ରେକର୍ଡର ସମକକ୍ଷ ହେବେ। ଶେଷଥର ପାଇଁ ସେ ୨୦୧୭ରେ ମେଲବୋର୍ନରେ ଟାଇଟଲ ଜିତିଥିଲେ। ୧୯୯୯ରେ ପ୍ରଥମ ସେ କ୍ୟାରିୟର ପ୍ରଥମ ଟାଇଟଲ ଜିତିଥିଲେ। ସେରେନା ଏପର୍ଯ୍ୟନ୍ତ କ୍ୟାରିୟରରେ ୭୩ଟି ଡବ୍ଲ୍‌ୟଟିଏ ଟାଇଟଲ ଜିତିଛନ୍ତି। ଦୀର୍ଘଦିନ ପରେ ଟାଇଟଲ ଜିତିଥିବାରୁ ସେରେନା ଖୁସି ଜାହିର କରିଛନ୍ତି।

Share