Categories: ଜାତୀୟ

୩ ବର୍ଷ ପରେ ବୃଦ୍ଧ ଦମ୍ପତିଙ୍କୁ ମିଳିଲା ନ୍ୟାୟ: ପୁଅ ବୋହୂ ତଡ଼ିଦେଇଥିଲେ ଘରୁ

ମୁମ୍ବାଇ,୨୬।୬: ଆଜିକାଲି ପିଲାମାନେ ଯେତିକି ଶିକ୍ଷିତ ହେଉଛନ୍ତି ସେତିକି ନିଜର ମାନବିକତା, ମଣିଷପଣିଆ ଓ ଆଚାର ବ୍ୟବହାର ସବୁ ଭୁଲିଯାଉଛନ୍ତି। ଦିନେ ଯେଉଁ ମା ବାପାଙ୍କ ହାତ ଧରି ଚାଲିବା ଶିଖିଥିଲେ ସେହି ପୁଅ ତାଙ୍କୁ ବୃଦ୍ଧାବସ୍ଥାରେ ଘରୁ ବାହାର କରିଦେବାକୁ ପଛଘୁଞ୍ଚା ଦେଉନାହିଁ। ଆଜିକାଲି ଏହି ମାମଲା ବହୁସଂଖ୍ୟାରେ ଦେଖିବାକୁ ମିଳୁଛି। କିଛି ଏଭଳି ଘଟଣା ଘଟିଛି ମୁମ୍ବାଇର ବୋରିବେଲୀରେ। ସୂଚନାଯୋଗ୍ୟ, ବୋରିବେଲୀରେ ବୃଦ୍ଧ ଦମ୍ପତି ବ୍ରଜେଶ ସୋନୀ(୭୧) ଓ ଚମେଲୀ ଦେବୀ(୬୯) ପୁଅ ପ୍ରଦୀପ ଓ ବୋହୂ ଚାନ୍ଦିନୀଙ୍କ ସହ ରହୁଥିଲେ। ତେବେ ୨୦୧୬ରେ ପୁଅ ବୋହୂ ତାଙ୍କୁ ଧକ୍କାମାରି ଘରୁ ତଡିଦେଇଥିଲେ। ଏହାପରେ ବ୍ରଜେଶ ରେଲଓ୍ବେ ଷ୍ଟେଶନ୍‌ର ପ୍ଲାଟଫର୍ମରେ ରହୁଥିବା ବେଳେ ପତ୍ନୀ ଚମେଲୀ ଏକ ଶିବ ମନ୍ଦିରରେ ନିଜ ଝିଅ ସହ ରହୁଥିଲେ। ଏହି ୩ ବର୍ଷ ଭିତରେ ସେ ନ୍ୟାୟ ପାଇଁ ବହୁ ସରକାରୀ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ କଥାକୁ କେହି କର୍ଣ୍ଣପାତ କରି ନ ଥିଲେ। ଏହାପରେ ସେମାନେ ବାନ୍ଦ୍ରାରେ ଥିବା ଜିଲା ଅଧିକାରୀଙ୍କ କାର୍ଯ୍ୟାଳକୁ ଯାଇଥିଲେ। ସେଠାରେ ମେଣ୍ଟେନାନ୍ସ ଆଣ୍ଡ ଓ୍ବେଲଫେୟାର ଅଫ୍‌ ପ୍ୟାରେଣ୍ଟସ୍‌ ଆଣ୍ଡ ସିନିୟର ସିଟିଜେନ୍‌ ଆକ୍ଟ ୨୦୦୭ ଦ୍ୱାରା ଚଳିତ ମାସ ୧୮ରେ ତାଙ୍କୁ ନ୍ୟାୟ ମିଳିଥିଲା। ପ୍ରଦୀପ ତୁରନ୍ତ ନିଜ ଘର ଛାଡି ମା ବାପାଙ୍କୁ ହସ୍ତାନ୍ତର କରିବା ପାଇଁ ଏସ୍‌ଡିଓ ନିର୍ଦ୍ଦେଶ ଦେଇଥିଲେ। ହେଲେ ପୋଲିସର ଅବହେଳା ଓ ପ୍ରଦୀପ ଏବଂ ଚାନ୍ଦିନୀଙ୍କ ବିରୋଧ ଯୋଗୁ ଏହା ସମ୍ଭବ ହୋଇ ନ ଥିଲା। ତେବେ ଜୁନ ୧୧ରେ ବ୍ରଜେଶ ସମାଜ କଲ୍ୟାଣ ମନ୍ତ୍ରୀ ରାଜକୁମାର ବଡୋଲେଙ୍କୁ ଭେଟି ଏହି ବାବଦରେ ଜଣାଇଥିଲେ। ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ମିଳିବା ସହ ନିଜ ଘର ମଧ୍ୟ ମିଳିଥିଲା। ଏହାପରେ କସ୍ତୁରବା ପୋଲିସ ସରକାରୀ କାର୍ଯ୍ୟରେ ବାଧା ଦେଇଥିବା ଅଭିଯୋଗରେ ପୁଅ ବୋହୂଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କୁ ଜୁଲାଇ ୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ବୋଲି ସୂଚନା ମିଳିଛି।

Share