୩ ବର୍ଷ ପରେ ପୁଣି ଥରିଲା ନେପାଳ

କାଠମାଣ୍ଡୁ,୨୪।୪: ନେପାଳ ସମେତ ଉତ୍ତରପ୍ରଦେଶର କେତେକ ସ୍ଥାନରେ ବୁଧବାର ସକାଳ ୬ଟା ୨୯ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ନେପାଳର ଧାନ୍ଦିଙ୍ଗ ଜିଲାର ନୌବତ୍‌ରେ ଥିଲା ବୋଲି କୁହାଯାଉଛି। ପ୍ରଥମ ଭୂକମ୍ପ ପରେ ୬ଟା ୪୦ରେ ପୁଣିଥରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଳରେ ୪.୮ ଥିଲା। ଭୂକମ୍ପ ଯୋଗୁ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଏହାପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତି ୧ଟା ୪୫ରେ ଅରୁଣାଚଳପ୍ରଦେଶରେ ଭୂକମ୍ପ ଅନୁଭୁତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ଥିଲା। ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳି ନାହିଁ। ସୂଚନାଯୋଗ୍ୟ, ୩ ବର୍ଷ ତଳେ ୨୦୧୫ ଏପ୍ରିଲ୍‌ ୨୫ରେ ନେପାଳରେ ୭.୮ ତୀବ୍ରତାଯୁକ୍ତ ଭୂ୍‌କମ୍ପ ହୋଇଥିଲା। ଏଥିରେ ନେପାଳର ୩୨ଟି ଜିଲାର ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୨୦ ହଜାରରୁ ଅଧିକ ଆହତ ହୋଇଥିଲେ। ସେହିପରି ୧୯୩୪ରେ ଏଠାରେ ହୋଇଥିବା ଭୂକମ୍ପରେ ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

Share