୩ ବର୍ଷ ପରେ କୁଳଭୂଷଣଙ୍କୁ ମିଳିଲା କନ୍‌ସୁଲାର ଆକ୍ସେସ: ସାକ୍ଷାତ୍‌କାର କଲେ ଡେପୁଟି ହାଇ କମିଶନର

ଇସ୍‌ଲାମାବାଦ,୨।୯: ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କୁ ୩ ବର୍ଷ ପରେ କନ୍‌ସୁଲାର ଆକ୍ସେସ ମିଳିଛି। ସୋମବାର ଭାରତୀୟ ଡେପୁଟି ହାଇ କମିଶନର ଗୌରବ ଆଲୁଓ୍ବାଲିଆ କୁଳଭୂଷଣଙ୍କୁ ଭେଟିଛନ୍ତି। ହେଲେ ପାକିସ୍ତାନ ନିଜ ମନ୍ଦ ବୁଦ୍ଧିର ପରିଚୟ ଦେଇ ସାକ୍ଷାତ୍‌କାରର ସ୍ଥାନକୁ ପରିବର୍ତ୍ତନ କରିଦେଇଛି। ଏହା ପୂର୍ବରୁ କୁଳଭୂଷଣଙ୍କ ସହ ଗୌରବଙ୍କ ସାକ୍ଷାତକାର ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟ କାର୍ଯ୍ୟାଳୟକୁ ଚୟନ କରାଯାଇଥିଲା। ହେଲେ ପରେ ଏହାକୁ ପରିବର୍ତ୍ତନ କରାଯାଇ କୌଣସି ଏକ ଅଜ୍ଞାତ ସ୍ଥାନରେ ସେମାନଙ୍କର ସାକ୍ଷାତ୍‌କାର କରାଯାଇଥିବା ନେଇ ସୂଚନା ମିଳିଛି। ଆଉ ଏହି ସାକ୍ଷାତ୍‌କାର ପାଇଁ ମାତ୍ର ୨ଘଣ୍ଟାର ସମୟ ଦିଆଯାଇଛି। ଆଇସିଜେ ଆଦେଶ ଅନୁସାରେ ପାକିସ୍ତାନ ଏହି ସାକ୍ଷାତ୍‌କାର ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଥିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଜୁଲାଇ ୧୭ରେ ଆଇସିଜେ ଶୁଣାଇ ଥିବା ରାୟ ଅନୁସାରେ ରବିବାର ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଯାଦବଙ୍କୁ କନ୍‌ସୁଲାର ଆକ୍ସେସ ଦିଆଯିବା ନେଇ ଭାରତକୁ ଅନୁମତି ଦେଇଥିଲେ। ୨୦୧୬ରେ ପାକିସ୍ତାନ ପକ୍ଷରୁ କୁଳଭୂଷଣଙ୍କୁ ଗିରଫ କରାଯିବା ପରେ ପ୍ରଥମ ଥର ପାଇଁ ତାଙ୍କୁ କନ୍‌ସୁଲାର ଆକ୍ସେସ ଦିଆଯାଇଛି।

Share