୩ ପଞ୍ଚାୟତର ୧୨ ଗ୍ରାମ ଜଳମଗ୍ନ: ବନ୍ୟାଞ୍ଚଳ ବୁଲି ଦେଖିଲେ ବିଧାୟକ, ତହସିଲଦାର

କଣାସ,୧୧।୯(ସ୍ବ.ପ୍ର./ଡି.ଏନ୍‌.ଏ.):  ପୁରୀ ଜିଲା କଣାସ ବ୍ଲକରେ ଗତ ଦୁଇଦିନ ଧରି ବନ୍ୟାଜଳର ପ୍ରଭାବ ବଢୁଥିବାରୁ ଦୋକନ୍ଦା, ବଡାସ, ଗଡବଳଭଦ୍ରପୁର ପଞ୍ଚାୟତର ୧୨ଟି ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ପ୍ରାୟ ରାସ୍ତା ବୁଡିଯାଇଥିବେଳେ ଗମନାଗମନ ବିଚ୍ଛିନ୍ନ ହୋଇଯିବା ସହ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ମଙ୍ଗଳବାର ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ତହସିଲଦାର ଉମାକାନ୍ତ ରାଉତ ବନ୍ୟାଞ୍ଚଳ ବୁଲି ଦେଖିବା ସହ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିସହିତ ବନ୍ୟା ସମସ୍ୟା ସମ୍ପର୍କରେ ପ୍ରତିକାର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ବିଧାୟକ କହିଛନ୍ତି। ବଡାସ ପଞ୍ଚାୟତରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ପଞ୍ଚାୟତ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ କରାଯିବା ସହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି। ବର୍ତ୍ତମାନ ନଦୀରେ ଜଳସ୍ତର ବଢୁଥିବା ବେଳେ ଦୟାନଦୀ ବିପଦ ସଙ୍କେତ ୩.୯୯ ମିଟର ଟପି ୫.୩୫ରେ ପହଞ୍ଚିଛି । କେତେକ ସ୍ଥାନରେ ଗଳିଆ ଥିବାରୁ ସେଗୁଡିକ ବାଲିବସ୍ତା ପକାଇଛନ୍ତି । ରେଡକ୍ରସ୍‌ ତରଫରୁ ଦୋକନ୍ଦା, କଦଳୀଦଣ୍ଡା, ବଡାସ, ତରପଡା, ବାଲିପାଟଣା ଆଦି ଗ୍ରାମ ଗୁଡିକରେ ରିଲିଫ୍‌ ବଣ୍ଟାଯାଇଛି । ବିଧାୟକଙ୍କ ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ରମେଶ ଚନ୍ଦ୍ର ସେଠୀ, ବ୍ଲକ ଯୁବ ବିଜେଡି ସଭାପତି ବସନ୍ତ ଜେନା, ଭିକାରୀ ବଳିୟାରସିଂହ, ଈଶ୍ୱର ହରିଚନ୍ଦନ, ସନ୍ତୋଷ ସାମନ୍ତରାୟ ପ୍ରମୁଖ ବନ୍ୟାଞ୍ଚଳ ବୁଲିଥିଲେ । ଅପରପକ୍ଷେ ପ୍ରଶାସନ ତରଫରୁ ବନ୍ୟା ବିପନ୍ନଙ୍କୁ ସହାୟତା ଦେବା ପାଇଁ ସାଧାରଣରେ ଦାବି ହୋଇଛି ।