୩ ଦିନ ପରେ ଟଳିଲା ବସ୍‌ ଧର୍ମଘଟ

ବ୍ରହ୍ମପୁର ଅଫିସ,୨୯ା୧୧- ୩ ଦିନ ପରେ ଧର୍ମଘଟରୁ ହଟିଛନ୍ତି ଗଞ୍ଜମ ଘରୋଇ ବସ୍‌ ମାଲିକ ସଂଘ।ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡରୁ ଘରୋଇ ବସ୍‌ ଚଳାଚଳ କରିବା ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବସ୍‌ ମାଲିକ ସଂଘ ଧର୍ମଘଟରୁ ହଟିଛନ୍ତି। ରାଜ୍ୟ ବସ୍‌ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ଗୁରୁବାର ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ପ୍ରକାରେ ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡର ଅଧା ଅଞ୍ଚଳରେ ବିଡିଏ ନିର୍ମାଣ କାର୍ଯ୍ୟ କରିବ। ଅନ୍ୟ ଅଧା ଅଞ୍ଚଳରୁ ଘରୋଇ ବସ୍‌ ଚଳାଚଳ କରିବ। ଗୁରୁବାର ରାତିରେ ଦୂରସ୍ଥାନ ତଥା ଜାତୀୟ ରାଜପଥ ଦେଇ ଆସୁଥିବା ସମସ୍ତ ଘରୋଇ ବସ୍‌ ଏଣିକି ହଳଦିଆପଦର ଯିବା ପରେ ସିଟି ବସ୍‌ଷ୍ଟାଣ୍ଡକୁ ଆସିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚାଇଛନ୍ତି। ସୂଚନାଯୋଗ୍ୟ, ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡ ମରାମତି ତଥା ପୁନଃ ନିର୍ମାଣ ପାଇଁ ୨ ମାସ ବନ୍ଦ କରିବାକୁ ବିିଡିଏ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହି ସମୟରେ ସମସ୍ତ ଘରୋଇ ବସ୍‌ ହଳଦିଆପଦର ଷ୍ଟାଣ୍ଡରୁ ଚଳାଚଳ କରିବାକୁ ବିଡିଏ ପକ୍ଷରୁ ନଭେମ୍ବର ୨୦ରେ ନୋଟିସ ଜାରି କରାଯାଇଥିଲା। ଏହାକୁ ବିରୋଧ କରି ସୋମବାରରୁ ବସ୍‌ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇଥିଲେ। ଏନେଇ ଗୁରୁବାର ପରିବହନ ମନ୍ତ୍ରୀଙ୍କ ସହ ରାଜ୍ୟ ବସ୍‌ ମାଲିକ ସଂଘ ଆଲୋଚନା କରିଥିଲେ। ଆଲୋଚନାରେ ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ପରିବହନ କମିଶନର ଓ ସଚିବଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।