୩ ଦିନ ପରେ ଗଣତି, ବଢୁଛି ଉତ୍କଣ୍ଠା

ବାଲେଶ୍ୱର ଅଫିସ, ୧୯।୫-ଭୋଟ ଗଣତି ଦିନ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ସେମାନେ ଆଶା, ଆଶଙ୍କାରେ ରହି ଦିନ ବିତାଉଛନ୍ତି। ଏଥର ସାଧାରଣ ନିର୍ବାଚନର ଫଳାଫଳ ଉଭୟ ରାଜ୍ୟ ଓ କେନ୍ଦ୍ର ପାଇଁ କାହା ସପକ୍ଷରେ ଯିବ ସେନେଇ ନାନା ଚର୍ଚ୍ଚା ଲାଗିରହିଛି। ଗତ ୨୯ ତାରିଖରେ ଅନୁଷ୍ଠିତ ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରୁ ୧୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଏହା ଅଧୀନ ୮ ବିଧାନସଭା କ୍ଷେତ୍ର ପାଇଁ ୬୬ଜଣ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଆସନ୍ତା ୨୩ତାରିଖରେ ହେବାକୁ ଥିବା ଗଣତିକୁ ଦୃଷ୍ଟିରେ ରଖି ଦଳୀୟ ନେତାମାନେ କର୍ମୀଙ୍କୁ ଡାକି ଆଲୋଚନା ଓ ପର୍ଯ୍ୟାଲୋଚନା କରୁଥିବା ଦେଖିବାକୁ ମିଳିଛି। ଏଥର ଶାସକ ବିଜେଡି ଦଳକୁ ଭାଜପା ଓ କଂଗ୍ରେସ ଟକ୍କର ଦେଇ ନିର୍ବାଚନ ମୁକାବିଲା କରିଥିବାରୁ ନିର୍ବାଚନ ସମୀକରଣ ବଦଳିପାରେ ବୋଲି ପୂର୍ବରୁ ଆଲୋଚନା ହୋଇଥିଲା। ବାଲେଶ୍ୱର ଲୋକସଭା ଆସନ ଅଧିକ ଚର୍ଚ୍ଚାରେ ରହିଥିଲା। ବିଜେଡି ପ୍ରାର୍ଥୀ ଇଂ. ରବୀନ୍ଦ୍ର କୁମାର ଜେନା, ଭାଜପା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କଂଗ୍ରେସର ନବାଗତ ଏମ୍‌ପି ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଉକ୍ତ ଆସନ ପାଇଁ ଭାଗ୍ୟ ପରୀକ୍ଷା କରିଛନ୍ତି। ସେହିପରି ବିଧାନସଭା କ୍ଷେତ୍ରରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଅନନ୍ତ ଦାସ, ଅନନ୍ତ ପ୍ରସାଦ ସେଠୀ, ଜୀବନ ପ୍ରଦୀପ ଦାଶ, ଗୋବିନ୍ଦ ଚନ୍ଦ୍ର ଦାସ, ଇଂ. ସୁକାନ୍ତ କୁମାର ନାୟକ, ଅଶ୍ୱିନୀ ପାତ୍ର, ନିତ୍ୟାନନ୍ଦ ସାହୁ, ପର୍ଶୁରାମ ଧଡ଼ା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଚର୍ଚ୍ଚାରେ ରହିଛନ୍ତି। ଚଳିତ ନିର୍ବାଚନରେ ଜିଲାରେ ୭୪.୭୬% ମତଦାନ ହୋଇଛି। ଏଥିମଧ୍ୟରୁ ୭୬.୪୧% ମହିଳା, ୭୩.୧୯% ପୁରୁଷ ଏବଂ ଅନ୍ୟାନ୍ୟ ୩.୯୫% ମତଦାନ କରିଛନ୍ତି। ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୬.୮୨%, ଭୋଗରାଇରେ ୭୩.୩୦%, ବସ୍ତାରେ ୭୭.୦୭%, ବାଲେଶ୍ୱର ସଦରରେ ୭୧.୨୪%, ରେମୁଣାରେ ୭୫.୧୯%, ନୀଳଗିରିରେ ୭୬.୯୫%, ସୋରରେ ୭୧.୦୪%, ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ୭୨.୫୭% ମତଦାନ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି।