୩ ଦିନ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ ଗତ ଦୁଇଦିନ ହେବ ମେଘୁଆ ପାଗ ସାଙ୍ଗକୁ ଝଡ଼ବର୍ଷା ଲାଗି ରହୁଛି। ଏଥିଯୋଗୁ ତାତି କମିଛି। ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିଯାଇଛି। ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ ଭାଗରେ ପାଗ ମେଘୁଆ ରହିବା ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଜିଲା ସମେତ ମୟୂରଭଞ୍ଜ, ରାୟଗଡ଼ା, କନ୍ଧମାଳ, କୋରାପୁଟ, ଗଞ୍ଜାମ, ଗଜପତି ଜିଲାର କେତେକ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବ। ଏ ନେଇ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏଲୋଓ୍ବାର୍ନିଂ ଜାରି କରାଯାଇଛି। ଗୁରୁବାର ରାଜ୍ୟର କେତେକ ସ୍ଥାନରେ ଝଡ଼ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ପାରଳାଖେମୁଣ୍ଡିରେ ୪୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କୋରାପୁଟ ୧୨.୬, ମାଲକାନଗିରି ୧୬.୨, ଛତ୍ରପୁର ୧୫, ପାରାଦୀପରେ ୫, ବାରିପଦା ୩.୨, ଝାରସୁଗୁଡା ୪.୨, କେନ୍ଦୁଝର ୫.୬, ସୁନ୍ଦରଗଡ଼ ୬. ଏବଂ ରାୟଗଡ଼ାରେ ୧୦ ମିଲିମିଟର ବର୍ଷା ହୋଇଛି। ବର୍ଷା ଓ ମେଘୁଆ ପାଗ ଯୋଗୁ ଅନୁଗୋଳରେ ୩୯.୭ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୩୯, ଟିଟିଲାଗଡ଼ରେ ୩୮ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।