Categories: ଜାତୀୟ

୩ ଘଣ୍ଟା ବିଳମ୍ବରେ ନିଗମ ବୋଧ ଘାଟ ଶ୍ମଶାନରେ ହେଲା କରୋନା ସଂକ୍ରମିତ ମହିଳାଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୧୪।୩: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ୬୮ ବର୍ଷ ବୟସ୍କା ମହିଳାଙ୍କ ଅନ୍ତିମ ସଂସ୍କାରରେ ବାଧା ସୃଷ୍ଟି ହୋଇଥିଲା। ତାଙ୍କ ମୃତଦେହଙ୍କୁ ନିଗମ ବୋଧ ଘାଟ ଶ୍ମଶାନକୁ ଅଣା ଯାଇଥିଲା। ତେବେ ଶ୍ମଶାନ କର୍ତ୍ତୃପକ୍ଷ ଅନ୍ତିମ ସଂସ୍କାର ପାଇଁ ମନା କରିଥିଲେ। ଅନ୍ତିମ ସଂସ୍କାର ଲାଗି ଲୋଧି ରୋଡ ସ୍ଥିତ ଶ୍ମଶାନ ଯିବାକୁ କୁହାଯାଇଥିଲା। ମୃତ ମହିଳାଙ୍କ ପରିବାର ସଦସ୍ୟ ସେମାନଙ୍କ ପାଖରେ ଅନ୍ୟ ବିକଳ୍ପ ନ ଥିବା କହିଥିଲେ। ଶେଷରେ ୩ ଘଣ୍ଟା ବିଳମ୍ବରେ ମହିଳାଙ୍କ ଅନ୍ତିମ ସଂସ୍କାର ନିଗମ ବୋଧ ଘାଟରେ ରାମ ମନୋହର ଲୋହିଆ ହସ୍ପିଟାଲ ଟିମ୍‌ଙ୍କ ଉପସ୍ଥିତିରେ ହୋଇଛି। ସୂଚନାଯୋଗ୍ୟ,ସ୍ଥାନୀୟ ଜନକପୁରୀଠାରେ ବାସ କରୁଥିବା ମୃତ ମହିଳାଙ୍କ ପୁଅ ଇଟାଲୀ ପରେ ସୁଇଜରଲାଣ୍ଡ ଯାତ୍ରା କରି ଦିଲ୍ଲୀ ଫେରିଥିଲେ। ସେ ନୋଏଡ଼ାର ଚମଡ଼ା ଫ୍ୟାକ୍ଟ୍ରିରେ କାମ କରନ୍ତି। ତାଙ୍କୁ କରୋନା ସଂକ୍ରମଣ ହୋଇଛି। ସେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share