୩ ଗ୍ରାମରେ ବିଦ୍ୟୁତ୍‌ ସମସ୍ୟା: ସେସୁ କାର୍ଯ୍ୟାଳୟ ଘେରିଲେ ଆଦିବାସୀ ଲୋକେ

ନୂଆଗାଁ,୫ା୯ (ଡି.ଏନ.ଏ.): ବିଦ୍ୟୁତ୍‌ ସମସ୍ୟା ନେଇ ବୁଧବାର ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର ସାନଜିରି, ବଡଜିରି ଓ ତାକୁଡା ଗ୍ରାମର ୫୦ରୁ ଉର୍ଦ୍ଧ୍ୱ ଆଦିବାସୀ ନୂଆଗାଁ ସେସୁ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ପ୍ରକାଶ ଯେ, ଦୀର୍ଘବର୍ଷ ପରେ ଉପରୋକ୍ତ ୩ ଗ୍ରାମକୁ ଗତବର୍ଷ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଥିଲା। ଏଥିରେ ଲୋକମାନେ ଖୁସି ହେବା ସହ ଘର ପିଛା ଦୁଇ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ବିଭାଗୀୟ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ। ଏପରିସ୍ଥଳେ ମାତ୍ର ଏକମାସ ସମସ୍ୟା ଦେଖାଦେଇଥିଲା । ଫଳରେ ତିନି ଗ୍ରାମବାସୀ ପୂର୍ବଭଳି ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ହୋଇଥିଲେ । ଏ ନେଇ ଗ୍ରାମବାସୀ ବିଭାଗୀୟ କର୍ମଚାରୀଙ୍କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ । ବରଂ ଆଜି କାଲି କହି ସମୟ ଗଡାଇ ଚାଲିଥିଲେ। ୬ମାସ ବିତିଯାଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଶେରେ ସେମାନେ ଜାକେଡା ସରପଞ୍ଚ ତ୍ରିଲୋଚନ ସାହୁଙ୍କୁ ଜଣାଇ ସେସୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସେସୁ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଫିଡ୍‌କୋ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ମିଶ୍ର ଘଟଣାସ୍ଥଳରେ ପହଞ୍ଚତ୍ ୩ ଦିନ ମଧ୍ୟରେ ସମସ୍ୟା ଦୂର କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଧାରଣାରୁ ଉଠିଥିଲେ। କେବଳ ଏହି ତିନି ଗ୍ରାମ ନୁହେଁ, ବ୍ଲକର ଏପରି ଅନେକ ଗ୍ରାମରେ ବିଦ୍ୟୁତ୍‌ ସମସ୍ୟା ଦେଖାଦେଇଥିଲେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଜନଅସନ୍ତୋଷ ଲାଗିରହିିଛି । ଏ ସମ୍ପର୍କରେ ସେସୁ କନିଷ୍ଠ ଯନ୍ତ୍ରୀ ଶ୍ରୀନିବାସ ରାଓଙ୍କୁ ପଚାରିବାରୁ ସେ କର୍ମଚାରୀଙ୍କ ଅଭାବ ଥିବାରୁ ସବୁ କାର୍ଯ୍ୟ କରିବା ସମ୍ଭବ ହେଉ ନ ଥିବା ପ୍ରକାଶ କରିଛନ୍ତି।