୩ ଖଣି ଲିଜ୍‌ଧାରୀଙ୍କ ସମ୍ପତ୍ତି ଜବତ ଲାଗି ଜିଲାପାଳଙ୍କ କୋର୍ଟର ନିର୍ଦ୍ଦେଶ

କେନ୍ଦୁଝର,୧୫ା୨(ଡି.ଏନ୍‌.ଏ.): ଜରିମାନା ଖିଲାପୀ ୩୧ଟି ଖଣିର ୨୩ ଲିଜ୍‌ଧାରୀଙ୍କ ନାମରେ ଓପିଡିଆର୍‌ ସାର୍ଟିଫିକେଟ ମାମଲା ଦାଏର ହୋଇ ୬୩୫୦କୋଟି ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିଲା। ଇତିମଧ୍ୟରେ କେତେକ ଲିଜ୍‌ଧାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେଇ ସମ୍ପତ୍ତି ଜବତ ପାଇଁ ପ୍ରକ୍ରିୟା ଜାରି ରହିଛି। ଶନିବାର କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ୫ଟି ଖଣିର ଶୁଣାଣି ଥିବାବେଳେ ୩ଟି ଖଣି ଲିଜ୍‌ଧାରୀଙ୍କ ସମ୍ପତ୍ତି ଜବତ କରି ଜରିମାନା ଅର୍ଥ ଆଦାୟ କରିବାକୁ ଜିଲାପାଳଙ୍କ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଶନିବାର ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ଏସ୍‌ଡି ଶର୍ମା, ଅର୍ଜୁନ ଲୋଧା, ମିଡ୍‌ଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ଲିଃ, ମିଡଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ବଡବିଲ ଏବଂ କେନ୍ଦୁଝର ଖଣି କାର୍ଯ୍ୟାଳୟ ଅନ୍ତର୍ଗତ ମେସର୍ସ ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ ଲିଃର ଶୁଣାଣି ଥିଲା। ଏହି ଶୁଣାଣିରେ ଜିଲାପାଳଙ୍କ କୋର୍ଟ ସାର୍ଟିଫିକେଟ ମାମଲା (ନଂ.୨୮/୨୦୧୮)କୁ ବିଚାର କରି ଏସ୍‌ଡି ଶର୍ମା ଖଣି ଲିଜ୍‌ଧାରୀଙ୍କ ଗାଡିମୋଟର, ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ କରିବା ପାଇଁ ୱାରେଣ୍ଟ ଜାରି କରିଛନ୍ତି। ସେହିପରି ଓପିଡିଆର୍‌ ମାମଲା (ନଂ. ୩୩/୨୦୧୮)ର ମେସର୍ସ ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ ଲିଃ ଉପରେ ୨୯୫, ୭୫, ୩୦୫୦୧ ଟଙ୍କା ଜରିମାନା ହୋଇଥିବାବେଳେ ଖଣି କର୍ତ୍ତୃପକ୍ଷ ଉତ୍ତରାଧିକାରୀ ଦର୍ଶାଉନଥିବା ଏବଂ ଜରିମାନା ଅର୍ଥ ଦାଖଲ ନ କରିବା କାରଣରୁ ସଂପୃକ୍ତ ଖଣି କର୍ତ୍ତୃପକ୍ଷଙ୍କ ସମ୍ପତ୍ତି ଜବତ କରିବାକୁ ୱାରେଣ୍ଟ ଜାରି କରିଛନ୍ତି। ଏଥିସହ ଓପିଡିଆର୍‌ ମାମଲା (ନଂ.୪୦/୨୦୧୮)ର ଅର୍ଜୁନ ଲୋଧା ଲିଜ୍‌ଧାରୀଙ୍କ ମାମଲା ବିଚାର କରି ଲିଜ୍‌ଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ ସହ ତାଙ୍କର ସଂପତ୍ତି ଜବତ କରି ଜରିମାନା ଅର୍ଥ ଆଦାୟ କରିବା ପାଇଁ ୱାରେଣ୍ଟ ଜାରି କରିଛନ୍ତି। ଅପରପକ୍ଷେ ସାର୍ଟିଫିକେଟ ମାମଲା (ନଂ ୪୮/୨୦୧୮) ର ମିଡ୍‌ଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ଲିଃର ବିଚାର କରି କେନ୍ଦ୍ରୀୟ ଖଣି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ମୁତାବକ ଜରିମାନା ଅର୍ଥ ପଇଠ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହାବାଦ ମାମଲା (ନଂ.୬୪/୨୦୧୮)ର ମିଡଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ବଡବିଲର ବିଚାର କରାଯାଇଥିବାବେଳେ ଖଣି କମ୍ପାନୀ ତରଫରୁ ଆଗାମୀ ୭ଦିନ ମଧ୍ୟରେ ଦୁଇଟି କିସ୍ତିରେ ବକେୟା ଜରିମାନା ଅର୍ଥ ପଇଠ କରିବାକୁ ଜିଲାପାଳଙ୍କ କୋର୍ଟ ନିର୍ଦ୍ଦେଶ ଜାରି କରିଥିବା ଜଣାପଡିଛି।