୩୯ କୋଟି ଲୋକଙ୍କୁ ପ୍ରଦାନ କରାଯାଇଛି ୩୪,୮୦୦ କୋଟିର ପିଏମ୍‌ଜିକେପି ସହାୟତା

ନୂଆଦିଲ୍ଲୀ,୬।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ କକରାଯାଉଛି। ମେ ୫ ସୁଦ୍ଧା ଦେଶର ୩୯ କୋଟି ଲୋକଙ୍କୁ ୩୪,୮୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ(ପିଏମ୍‌ଜିକେପି) ପ୍ରଦାନ କରାଯାଇଛି। ପିଏମ୍‌-କିଷାନ ଯୋଜନାରେ ୮ କୋଟି ୧୯ ଲକ୍ଷ ହିତାଧିକାରୀଙ୍କୁ ୧୬,୩୯୪ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି। ସେହିପରି ଜନ ଧନ ଯୋଜନାରେ ୨୦ କୋଟି ୫ ଲକ୍ଷ ମହିଳାଙ୍କ ସଞ୍ଚୟ ଖାତାକୁ ୧୦,୦୨୫ କୋଟି ଟଙ୍କା ସହାୟତା ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଥିବାବେଳେ ଦ୍ୱିତୀୟ କିସ୍ତିରେ ୫ କୋଟି ୫୭ ଲକ୍ଷଙ୍କୁ ୨,୭୮୫ କୋଟି ଟଙ୍କା ସରକାର ଯୋଗାଇ ଦେଇଛନ୍ତି। ସେହିପରି ୧,୪୦୫ କୋଟି ଟଙ୍କା ୨ କୋଟି ୮୨ ଲକ୍ଷ ବୟସ୍କ ବ୍ୟକ୍ତି, ନିରାଶ୍ରୟ ଏବଂ ଦିବ୍ୟାଙ୍ଗଙ୍କୁ ପ୍ରଦାନ କରାଯାଇଛି। ନିର୍ମାଣ କାର୍ଯ୍ୟରେ ନିୟୋଜିତ ୨ କୋଟି ୨୦ ଲକ୍ଷ ଶ୍ରମିକଙ୍କୁ ୩,୪୯୨ କୋଟି ୫୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏପ୍ରିଲ୍‌ରେ ଦେଶର ୬୦ କୋଟି ୩୩ ଲକ୍ଷ ଲୋକଙ୍କୁ ଖାଦ୍ୟଶସ୍ୟ ବିତରଣ କରାଯାଇଥିବାବେଳେ ମେ’ରେ ୧୨ କୋଟି ୩୯ ଲକ୍ଷ ଲୋକଙ୍କୁ ଆବଶ୍ୟକ ଖାଦ୍ୟ ଯୋଗାଇ ଦିଆଯାଇଛି। ୫ କୋଟି ୨୧ ଲକ୍ଷ ହିତାଧିକାରୀଙ୍କୁ ଡାଲି ଜାତୀୟ ଖାଦ୍ୟ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ୫ କୋଟି ସିଲିଣ୍ଡର୍‌ ବୁକିଂ କରାଯାଇଥିବାବେଳେ ୪ କୋଟି ୮୨ ଲକ୍ଷ ସିଲିଣ୍ଡର ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share