Categories: ଜାତୀୟ

୩୮ ବର୍ଷ ହେବ ବିଜୁଳି ସଂଯୋଗ ନ ପାଇ ମନ୍ତ୍ରୀଙ୍କ ସାମ୍ନାରେ ବିଷ ପିଇଲେ ଚାଷୀ

ମୁମ୍ବାଇ,୧୮।୬: ମହାରାଷ୍ଟ୍ରର ଜଣେ ୩୯ ବର୍ଷୀୟ ଯୁବ ଚାଷୀ ବୁଲଦାନାଠାରେ ୨ଜଣ ମନ୍ତ୍ରୀଙ୍କ ସାମ୍ନାରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଈଶ୍ୱର ସୁପରାଓ ଖରତେ ନାମକ ଏହି ଚାଷୀ ଦୀର୍ଘ ପ୍ରାୟ ୩୮ ବର୍ଷ ହେବ ବିଜୁଳି ସଂଯୋଗ ନ ପାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ କହିଛି। ବଡୋଡା ଗାଁ ନିବାସୀ ଈଶ୍ୱର ଶନିବାର ମଲକାପୁରରେ ଏକ କୃଷି ପ୍ରଦର୍ଶନୀ ବୁଲି ଆସିଥିଲେ। ସେଠାକୁ ଅତିଥି ଭାବେ ଆସିଥିଲେ ମନ୍ତ୍ରୀ ରଣଜିତ ପାଟିଲ ଓ ମଦନ ୟେରାଓ୍ବାର। ପ୍ରଦର୍ଶନୀ ଉଦ୍‌ଘାଟନ ହେବା ମାତ୍ରେ ଈଶ୍ୱର ବିଳୁଜି ପାଣି ନ ମିଳିବା ଦର୍ଶାଇ ପାଟିତୁଣ୍ଡ କରିବା ସହ ସେଠାରେ ବିଷ ପିଇଦେଇଥିଲେ। ପୋଲିସ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଏବେ ସେ ବିପଦମୁକ୍ତ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଈଶ୍ୱର କହିଛନ୍ତି ୧୯୮୦ ମସିହାରୁ ତାଙ୍କ ଜେଜେବାପା ବିଜୁଳି ସଂଯୋଗ ପାଇଁ ଆବେଦନ କରିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କୁ ବିଜୁଳି ସଂଯୋଗ ମିଳିନାହିଁ। ଏହାକୁ ନେଇ ସେ ଆତ୍ମହତ୍ୟା କରିବେ ବୋଲି ଜିଲା ପ୍ରଶାସନକୁ କହିଥିବା ବେଳେ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ସେ ମନ୍ତ୍ରୀଙ୍କ ସାମ୍ନାରେ ବିଷ ପିଇଥିବା କହିଛନ୍ତି।

Share