୩୭ ବର୍ଷରେ ପାଦ ଦେଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ଗୁରୁବାର ୩୭ବର୍ଷରେ ପାଦ ଦେଇଛନ୍ତି। ତାଙ୍କ ଜନ୍ମଦିନରେ ଅନିଲ କପୁର, ବରୁଣ ଧାଓ୍ବନ, ଆଲିଆ ଭଟ୍ଟ, ମାଧୁରୀ ଦୀକ୍ଷିତ ନେନେଙ୍କ ଭଳି ବହୁ ବଲିଉଡ ସେଲିବ୍ରିଟି ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ପ୍ରିୟଙ୍କାଙ୍କ ବନ୍ଧୁ ଏବଂ ସହ-କଳାକାରମାନେ ସୋସିଆଲ ମିଡିଆରେ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରିଛନ୍ତି। ଅନିଲ କପୁର ‘ହାପି ବାର୍ଥ ଡେ’ ଜଣାଇବା ସହିତ ଆପଣଙ୍କ ସହିତ କାର୍ଯ୍ୟ କରିବା ଖୁବ୍‌ ଖୁସି ଲାଗେ ବୋଲି ଉଲ୍ଲେଖ କରିଛନ୍ତି। ମାଧୁରୀ ଦୀକ୍ଷିତ ନେନେ ଦେଶୀ ଗର୍ଲ ପ୍ରିୟଙ୍କାଙ୍କୁ ହାପି ବାର୍ଥଡେ ଜଣାଇ ପରଦାରେ ଓ ପରଦା ବାହାରେ ସବୁବେଳେ ଆନନ୍ଦ ଓ ଖୁସିରେ ଥାଅ ବୋଲି କାମନା କରିଛନ୍ତି। ଆଲିଆ ଭଟ୍ଟ ଲେଖିଛନ୍ତି, ‘ସାରା ବିଶ୍ୱର ବାଳିକାଙ୍କ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରୁହ।’ ସୋନମ କପୁର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ବାର୍ତ୍ତା ଦେଇଛନ୍ତି, ‘ତୁମ ପାଇଁ ଆଗାମୀ ବର୍ଷଗୁଡିକ ଚମତ୍କାର ହେଉ।’ ପ୍ରିୟଙ୍କା ମିସ୍‌ ଓ୍ବାର୍ଲଡ ୨୦୦୦ ପ୍ରତିଯୋଗିତାରେ ବିଜୟୀ ହୋଇ ବିଶ୍ୱ ସୁନ୍ଦରୀ ମାନ୍ୟତା ପାଇଥିଲେ। ନ୍ୟାଶନାଲ ଫିଲ୍ମ ଆଓ୍ବାର୍ଡ ସମେତ ଅନେକ ପୁରସ୍କାର ସେ ଲାଭ କରିଛନ୍ତି। ୨୦୧୬ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି। ୨୦୦୩ରେ ପ୍ରଥମ କରି ‘ଦି ହିରୋ: ଲଭ୍‌ ଷ୍ଟୋରି ଅଫ୍‌ ଏ ସ୍ପାଏ’ରେ ସେ ଅଭିନୟ କରିଥିଲେ। ଏହାପରେ ‘ଅନ୍ଦାଜ୍‌’ ଏବଂ ‘ମୁଝ୍‌ସେ ଶାଦି କରୋଗୀ’ ଭଳି ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ଭାଜନ ହୋଇପାରିଥିଲେ। ୨୦୧୮ରେ ଆମେରିକୀୟ ପପ୍‌ ଗାୟକ ତଥା ଅଭିନେତା ନିକ୍‌ ଜୋନାସ୍‌ଙ୍କୁ ସେ ପ୍ରେମବିବାହ କରିଛନ୍ତି।

Share