Categories: ଜାତୀୟ

୩୭୦ ଉଚ୍ଛେଦ ପରଠୁ ଯୋଗାଯୋଗ ମାଧ୍ୟମ ବନ୍ଦ:ରାସ୍ତାରେ ଖବରଦାତା

ଶ୍ରୀନଗର,୪-୧୦(ପି.ଟି.):ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଯିବାକୁ ୨ ମାସ ପୂରିଲାଣି। ତଥାପି ଉପତ୍ୟକାରେ ସ୍ଥିତି ସ୍ବାଭାବିକ ହୋଇନାହିଁ। ମୋବାଇଲ ଓ ଇଣ୍ଟରନେଟ ଉପରେ କଟକଣା ଜାରି ରହିଥିବାରୁ ଗଣମାଧ୍ୟମ ବହୁଳ ଭାବେ ପ୍ରଭାବିତ ହୋଇଛି। ଏଥିପାଇଁ ଜମ୍ମୁ-କଶ୍ମୀରର ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଖବରଦାତା। ଯୋଗାଯୋଗ ମାଧ୍ୟମ ଉପରୁ କଟକଣା ହଟାଇବା ଦାବିରେ ସେମାନେ ବିକ୍ଷୋଭ କରିବା ସହ ଧାରଣାରେ ବସିଛନ୍ତି।
ଯୋଗାଯୋଗ ମାଧ୍ୟମ ଉପରେ କଟକଣା ଜାରି ହେବା ୨ ପୂରି ୩ ମାସରେ ପହଞ୍ଚତ୍ଛି। ଏହା ଖବରଦାତାମାନଙ୍କ କାର୍ଯ୍ୟକୁ ବହୁଳ ଭାବେ ପ୍ରଭାବିତ କରିଛି। ଏପରି କି ସ୍ଥାନୀୟ ଖବରକାଗଜଗୁଡ଼ିକ ମଧ୍ୟ ଠିକ୍‌ ଭାବେ ପ୍ରକାଶ ପାଇପାରୁ ନାହିଁ। ଓ୍ବେବ୍‌ ପୋର୍ଟାଲରେ ସେଗୁଡ଼ିକର ଇଣ୍ଟରନେଟ୍‌ ସଂସ୍କରଣ ପୂରା ବନ୍ଦ ହୋଇଯାଇଛି। ଏଥିପାଇଁ ସମସ୍ତ ଗଣମାଧ୍ୟମ ସଙ୍ଗଠନ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଖବରଦାତାମାନେ ମୁକ୍ତ ଭାବେ ବୃତ୍ତିଗତ ଦାୟିତ୍ୱ ନିର୍ବାହ କରିପାରିବା ପାଇଁ କଟକଣା ହଟାଇବାକୁ ସରକାରଙ୍କ ନିକଟରେ ଦାବି କରିଥିବା କଶ୍ମୀର ପ୍ରେସ୍‌ କ୍ଲବ୍‌ ଅଧ୍ୟକ୍ଷ ଶୁଜା ଉଲ୍‌ ହକ୍‌ କହିଛନ୍ତି। ଖବରଦାତାମାନେ ପ୍ଲାକାର୍ଡ ଧରି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଛନ୍ତି। ସେମାନେ ଶ୍ରୀନଗରର ପୋଲୋ ଭ୍ୟୁଠାରୁ ବାହାରି ରେସିଡେନ୍ସି ରୋଡ୍‌ସ୍ଥିତ ପ୍ରେସ୍‌ କଲୋନିକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଶ୍ରୀନଗରର ଏକ ଘରୋଇ ହୋଟେଲରେ ଖବରଦାତାଙ୍କ ପାଇଁ ମିଡିଆ ଫେସିଲିଟେଶନ୍‌ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ସେଠାରେ ମାତ୍ର ୧୦ଟି କମ୍ପ୍ୟୁଟର ଥିବାରୁ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଖବରଦାତାମାନେ କହିଛନ୍ତି। ମୋବାଇଲ ଓ ଇଣ୍ଟରନେଟ୍‌ ସେବା ଉପରେ କଟକଣା ଗଣମାଧ୍ୟମର କଣ୍ଠରୋଧ ସହ ସମାନ ବୋଲି ଖବରଦାତାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ଓ ସ୍ଥାନୀୟ ପ୍ରଶାସନ ସ୍ଥିତି ସ୍ବାଭାବିକ ହୋଇଥିବା ଦାବି କରୁଥିବାବେଳେ ଏହି କଟକଣା କେବେ ହଟିବ ସେନେଇ କିଛି କୁହାଯାଉନାହିଁ।

Share