Categories: ଜାତୀୟ

୩୭୦ ଉଚ୍ଛେଦକୁ ହୁଡାଙ୍କ ସମର୍ଥନ

ରୋହତକ୍‌,୧୯ା୮(ଆଇଏଏନ୍‌ଏସ୍‌): ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପରେ ଏହାକୁ ନେଇ କଂଗ୍ରେସରେ ଭିନ୍ନମତ ପ୍ରକାଶ ପାଇବାରେ ଲାଗିଛି। ଦଳର ବରିଷ୍ଠ ନେତା ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ରବିବାର ନରେନ୍ଦ୍ର ମୋଦି ସରକାରଙ୍କ ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି।
ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ କଂଗ୍ରେସର ଅନେକ ନେତା ଏହାକୁ ନେଇ ପ୍ରଶ୍ନ ଉଠାଉଥିବାବେଳେ ଆଉ କେତେକେ ଏହା ସପକ୍ଷରେ ମତ ଦେଉଛନ୍ତି। ଏହିକ୍ରମରେ ହୁଡା ନିଜ ସହର ରୋହତକ୍‌ରେ ମହାପରିବର୍ତ୍ତନ ରାଲିକୁ ସମ୍ବୋଧିତ କରି କହିଛନ୍ତି, ସେ ଦେଶଭକ୍ତି ଓ ଆମତ୍ସମ୍ମାନ ପ୍ରସଙ୍ଗରେ କାହା ସହିତ ସାଲିସ କରିବେ ନାହିଁ। ସରକାର କିଛି ଭଲ କାମ କଲେ ସେ ତାକୁ ସମର୍ଥନ କରିବେ। ଏହାକୁ କଂଗ୍ରେସରେ ତାଙ୍କର ଅନେକ ସହଯୋଗୀ ବିରୋଧ କରୁଛନ୍ତି। କଂଗ୍ରେସ ଦଳ ଏବେ ବାଟବଣା ହୋଇଯାଇଛି। ପୁରୁଣା କଂଗ୍ରେସ ଆଉ ନାହିଁ ବୋଲି ହୁଡା କହିଛନ୍ତି। ହୁଡାଙ୍କ ଏହି ଆଭିମୁଖ୍ୟକୁ ନେଇ କଂଗ୍ରେସରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି। ହରିୟାଣା କଂଗ୍ରେସ ସଭାପତି ଆଶୋକ ତନଓ୍ବରଙ୍କୁ ହଟାଇ ହୁଡାଙ୍କୁ ଏହି ପଦରେ ନିଯୁକ୍ତି ଦେବା ପାଇଁ ଦାବି କରୁଥିବା ଦଳର କର୍ମୀମାନେ ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି। ଏହା ପୂର୍ବରୁ ତାଙ୍କ ପୁଅ ତଥା ପୂର୍ବତନ ଏମ୍‌ପି ଦୀପେନ୍ଦର ସିଂ ହୁଡା ମଧ୍ୟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ହେଲେ ୩୭୦କୁ ଯେପରି ଭାବେ ଉଚ୍ଛେଦ କରାଯାଇଛି ତାକୁ ନେଇ ସେ ଆପତ୍ତି ଉଠାଇଥିଲେ।

Share