୩୩ ବର୍ଷ ତଳେ ବିମାନ ବନ୍ଦରରେ ହଜିଥିବା ୧୦ଦିନର ଶିଶୁପୁତ୍ର ଯୁବକ ହୋଇ ଘରକୁ ଫେରିଲେ

ଲଣ୍ଡନ,୧୬।୫: କଥାରେ ଅଛି ରଖେ ହରି ମାରେ କିଏ। ଏହା ଷ୍ଟିଭ୍‌ ହାଇଇସ୍‌ଙ୍କ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଛି। ଷ୍ଟିଭ୍‌ଙ୍କ କାହାଣୀ ଫିଲ୍ମ ପରି। ତାଙ୍କୁ ୧୦ ଦିନ ହୋଇଥିବାବେଳେ ସେ ୧୯୮୬ରେ ଗେଟ୍‌ଓ୍ବିକ୍‌ ବିମାନ ବନ୍ଦରର ମହିଳା ଶୌଚାଳୟରେ କମ୍ବଳ ଏବଂ ଟାଓ୍ବେଲରେ ଘୋଡାହୋଇଥିବା ଅବସ୍ଥାରେ ସୁରକ୍ଷାକର୍ମୀଙ୍କୁ ମିଳିଥିଲେ। କୌଣସି କାରଣରୁ ତାଙ୍କ ମାତା ଷ୍ଟିଭ୍‌ଙ୍କୁ ଶୌଚାଳୟରେ ଛାଡିଦେଇଥିଲେ। ଏହାପରେ ସେ ଅନାଥାଶ୍ରମରେ ବଢ଼ିଥିଲେ। ୧୮ ବର୍ଷ ହୋଇଥିବାବେଳେ ଷ୍ଟିଭ୍‌ ନିଜ ଡିଏନ୍‌ଏ ସାମ୍ପଲ୍‌ ଆଧାରରେ ମାତାପିତାଙ୍କୁ ଖୋଜିବା ଆରମ୍ଭ କଲେ। ଏଥି ପାଇଁ ବିଭିନ୍ନ ଥାନାରେ ପହଞ୍ଚି ଅଧିକାରୀଙ୍କୁ ତାଙ୍କ ଦୁଃଖଭରା କାହାଣୀ କହିଲେ। ତେବେ କୌଣସି ତଥ୍ୟ ହାସଲ ହୋଇପାରି ନ ଥିଲା। ତେବେ ଏକ ଥାନା ରେକର୍ଡରୁ ଜଣାପଡ଼ିଥିଲା ଗେଟ୍‌ଓ୍ବିକ୍‌ ବିମାନ ବନ୍ଦରରେ ଥିବା ଶିଶୁପୁତ୍ର ତାଙ୍କର ବୋଲି ଜଣେ ମହିଳା ୩୩ ବର୍ଷ ତଳେ ଫୋନ୍‌ କରି ଜଣାଇଥିଲେ। ଏହି ସୂଚନା ଆଧାରରେ ଷ୍ଟିଭ୍‌ ତାଙ୍କ ଘରେ ପହଞ୍ଚତ୍ଥିଲେ। ତେବେ ତାଙ୍କ ମାତାଙ୍କ ମୃତ୍ୟୁ ହୋଇସାରିଥିବାବେଳେ ପିତା ଜୀବିତ ଥିଲେ। ତାଙ୍କର ଆଉଜଣେ ଭାଇ ମଧ୍ୟ ଥିବା ସେ ଜାଣିପାରିଥିଲେ। ଏବେ ଷ୍ଟିଭ୍‌ଙ୍କ ସ୍ତ୍ରୀ ଏବଂ ଦୁଇ ସନ୍ତାନଙ୍କୁ ରକ୍ତ ସମ୍ପର୍କୀୟଙ୍କ ସହିତ ମିଳିତ ହେବାର ସୁଯୋଗ ପାଇଛନ୍ତି। ଷ୍ଟିଭ୍‌ ଏନେଇ ଟୁଇଟର ଏବଂ ଫେସବୁକ୍‌ରେ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି। ଷ୍ଟିଭ୍‌ଙ୍କ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।

Share