୩୧,୧୮୮ ଚାଷୀ ୨୧,୧୯,୫୦୧ କୁଇଣ୍ଟାଲ ଧାନ ବିକିଲେ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ୨୦୧୯-୨୦ ଖରିଫ୍‌ ଧାନ ସଂଗ୍ରହ ବର୍ଷର ମଙ୍ଗଳବାର ସୁଦ୍ଧା ୩୧ ହଜାର ୧୮୮ ଜଣ ଚାଷୀ ମୋଟ ୨୧ ଲକ୍ଷ ୧୯ ହଜାର ୫୦୧ କୁଇଣ୍ଟାଲ୍‌ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ରରେ ବିକ୍ରି କରିଛନ୍ତି, ଯାହାକି ଗତବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ। ୨୦୧୮ ଡିସେମ୍ବର ୩ ତାରିଖ ସୁଦ୍ଧା ମୋଟ ୧୮ ଲକ୍ଷ ୭୮ ହଜାର ୮୭୧ କୁଇଣ୍ଟାଲ୍‌ ଧାନ ସଂଗ୍ରହ ହୋଇଥିଲା। ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସ୍ବଚ୍ଛ ଓ ବ୍ୟବସ୍ଥିତ କରିବା ପାଇଁ ଅନ୍‌ଲାଇନ୍‌ରେ ପଞ୍ଜୀକୃତ ଚାଷୀମାନଙ୍କୁ ଆଗୁଆ ଟୋକନ୍‌ ବ୍ୟବସ୍ଥା ପି- ପାସ୍‌ ଜରିଆରେ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୭ଟି ଜିଲାରେ ୯୬୬ଟି ଧାନ ସଂଗ୍ରହ କେନ୍ଦ୍ରରୁ ୧ ଲକ୍ଷ ୫୨ ହଜାର ୯୭୫ ଜଣ ଚାଷୀଙ୍କୁ ୨ ଲକ୍ଷ ୫ ହଜାର ୬୦୧ ଆଗୁଆ ଟୋକନ୍‌ ଦିଆଯାଇଛି।
ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲାଗୁଡ଼ିକ ମଧ୍ୟରେ ବରଗଡ଼ରେ ୧୬ ହଜାର ୨୩ ଜଣ ଚାଷୀ ୧୧ ଲକ୍ଷ ୩୮ ହଜାର ୬୧୬ କୁଇଣ୍ଟାଲ୍‌ ଧାନ ବିକ୍ରି କରିଥିବା ବେଳେ ବଲାଙ୍ଗୀର ଜିଲାର ୨୦୭୭ ଜଣ ଚାଷୀ ୧ ଲକ୍ଷ ୪୬ ହଜାର ୫୯ କୁଇଣ୍ଟାଲ୍‌, କଳାହାଣ୍ଡି ଜିଲାର ୩୫୦୫ ଜଣ ଚାଷୀ ୨ ଲକ୍ଷ ୩୨ ହଜାର ୬୧୧ କୁଇଣ୍ଟାଲ, ମାଲକାନଗିରି ଜିଲାର ୨୮୭୭ ଜଣ ଚାଷୀ ୧ ଲକ୍ଷ ୫ ହଜାର ୯୫୬ କୁଇଣ୍ଟାଲ୍‌, ନୂଆପଡ଼ା ଜିଲାର ୧୭୮୬ ଜଣ ଚାଷୀ ୬୯ ହଜାର ୫୪୩ କୁଇଣ୍ଟାଲ୍‌, ସମ୍ବଲପୁର ଜିଲାର ୨୫୩୪ ଜଣ ଚାଷୀ ୨ ଲକ୍ଷ ୩୩ ହଜାର ୭୩୦ କୁଇଣ୍ଟାଲ ଏବଂ ସୁବର୍ଣ୍ଣପୁର ଜିଲାର ୧୯୨୧ ଜଣ ଚାଷୀ ୧ ଲକ୍ଷ ୬୬ ହଜାର ୩୧୪ କୁଇଣ୍ଟାଲ ଧାନ ବିଭିନ୍ନ ପ୍ୟାକସ୍‌ରେ ଧାନ ବିକ୍ରି କରିଛନ୍ତି।