୩୧ରେ ପଶ୍ଚିମା ଝଡ଼ର ସର୍ବାଧିକ ପ୍ରଭାବ

ଭୁବନେଶ୍ୱର, ୨୮।୩ (ବ୍ୟୁରୋ):ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ସକାଳୁ ଦ୍ୱିପ୍ରହର ଯାଏ ଖରା ଓ ଅପରାହ୍ନରୁ କଳାବୈଶାଖୀ ବର୍ଷା ଜାରି ରହିଛି। ସୋମବାର ଖୋର୍ଦ୍ଧା, କଟକ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, କୋରାପୁଟ ଓ ନୟାଗଡ଼ ଆଦି ଜିଲାରେ କାଳବୈଶାଖୀ ବର୍ଷା ହୋଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ୩୨ ମିମି ବର୍ଷା ହୋଇଥିବାବେଳେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି। ତାପମାତ୍ରା ସ୍ବାଭାବିକରୁ ୨ରୁ ୩ ଡିଗ୍ରୀ ଅଧିକ ରହୁଛି। ୨ ତାରିଖ ଯାଏ ରାଜ୍ୟରେ ଏପରି ପାଗ ଲାଗି ରହିବ। ତେବେ ଆସନ୍ତା ୨୯ ତାରିଖରେ ଆଉଏକ ପଶ୍ଚିମା ଝଡ଼ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିବ। ଓଡ଼ିଶା ସମେତ ତେଲଙ୍ଗାନା, ଆନ୍ଧ୍ର, ଝାଡ଼ଖଣ୍ଡ, ଛତିଶଗଡ଼, କର୍ନାଟକ, ପଶ୍ଚିମବଙ୍ଗ, ବିହାର ଓ ଉତ୍ତର ପୂର୍ବ ଭାରତର ପ୍ରାୟ ସମସ୍ତ ରାଜ୍ୟରେ ୨୯ ତାରିଖ ରାତିରୁ ଏହାର ପ୍ରଭାବ ଦେଖିବାକୁ ମିଳିବ। କିନ୍ତୁ ୩୧ ତାରିଖରେ ଓଡ଼ିଶାରେ ଏହାର ସର୍ବାଧିକ ପ୍ରଭାବ ନଜରକୁ ଆସିବ। ତେଣୁ ଏନେଇ ୧୭ ଜିଲାକୁ ଓ୍ବାର୍ନିଂ ଦିଆଯାଇଛି। ୫ ଜିଲାରେ ବର୍ଷାର ପରିମାଣ ୭ରୁ ୧୧ ସେଣ୍ଟିମିଟର ଯାଏ ରହିପାରେ। ବର୍ତ୍ତମାନ ବାୟୁମଣ୍ଡଳର ଉପରସ୍ତରରେ ବାୟୁ ପ୍ରବାହ ଉଷ୍ଣ ରହିଛି। ତେବେ ବଙ୍ଗୋପସାଗରରୁ ଉପକୂଳକୁ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବ ଦେଖିବାକୁ ମିଳୁଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ମଙ୍ଗଳବାର ରାଜ୍ୟର ୧୦ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିଲାଗି ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ, ନୟାଗଡ଼, ଅନୁଗୋଳ, ଢ଼େଙ୍କାନାଳ, କଟକ ଓ ଯାଜପୁରକୁ ୟେଲୋ ୱାର୍ନିଂ ଜାରି ହୋଇଛି। ବର୍ତ୍ତମାନ ରାଜ୍ୟ ପାଣିପାଗରେ କିଛି ବିଶେଷ ପରିବର୍ତ୍ତନ ନାହିଁ। ଦିନର ସର୍ବାଧିକ ତାପମାତ୍ରା ୩୬ରୁ ୩୮ ଡିଗ୍ରୀ ମଧ୍ୟରେ ଓ ସର୍ବନିମ୍ନ ତାପମାତ୍ରା ୨୨ରୁ ୨୬ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସୂଚନାଥାଉ କି, ଗତ ୧୪ ତାରିଖରୁ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ଜାରି ରହିଛି। ଫଳରେ ମାର୍ଚ୍ଚ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲେ ମଧ୍ୟ ଅଦିନିଆ ବର୍ଷା ଓ ଝଡ଼ତୋଫାନ ଚାଷୀକୁଳକୁ ହତାଶ କରିଛି। ଦେଇଛି ସତ କିନ୍ତୁ ଅଦିନିଆ ବର୍ଷା ଚାଷୀକୁଳକୁ ହତାଶ କରିଛି।