୩୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୨୮ା୪: ପ୍ରାଣଘାତୀ କରୋନାରେ ୨୧୦ ଦେଶରେ ମୋଟ ୨.୦୮ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଥିବା ବେଳେ ଆମେରିକା, ସ୍ପେନ୍‌, ଇଟାଲୀ, ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଯଦିଓ ସୋମବାର ସୁଦ୍ଧା ବିଶ୍ୱରେ ପ୍ରାୟ ୮ ଲକ୍ଷ ୯୦ ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ତଥାପି କ୍ରମବର୍ଦ୍ଧିଷ୍ଣୁ ନୂଆ ରୋଗୀଙ୍କ ସଂଖ୍ୟା ହୋସ୍‌ ଉଡ଼ାଇ ଦେଉଛି। ଆମେରିକା ସଂକ୍ରମଣ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯.୯୦ ଲକ୍ଷରୁ ଅଧିକ ଥିବାବେଳେ ମୃତ୍ୟୁସଂଖ୍ୟା ୫୫,୫୦୦ ଟପିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ପ୍ରାୟ ୩ ହଜାର ନୂଆ ରୋଗୀ ଚିହ୍ନଟ ହୋଇଛନ୍ତିି। ପୋକମାଛି ଭଳି ଏହି ବିତ୍ତଶାଳୀ ଦେଶରେ ଲୋକଙ୍କ ଜୀବନ ଯାଉଛି। ଖାଲି ସେତିକି ନୁହେଁ, ଏହି ରୋଗର ଚିକିତ୍ସା ଲାଗି ସେଭଳି ଫଳପ୍ରଦ ଔଷଧ ଏପର୍ଯ୍ୟନ୍ତ ବାହାରି ନ ଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସ୍ପେନ୍‌ରେ ଏବେ ୨.୨୯ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଥିବାବେଳେ ମୃତ୍ୟୁମୁଖରେ ପଡ଼ିଲେଣି ୨୩,୫୨୧ ବ୍ୟକ୍ତି। ଇଟାଲୀରେ ୨୬,୬୫୦ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧.୯୭ ଲକ୍ଷ ଟପିଛି। ଫ୍ରାନ୍ସରେ ୧.୬୨ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଥିବାବେଳେ ୨୨,୮୫୬ ଜଣଙ୍କ ଜୀବନ ଗଲାଣି। ଜର୍ମାନୀରେ ସୋମବାର ସୁଦ୍ଧା ୧.୫୮ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଥିବାବେଳେ ପ୍ରାୟ ୬ ହଜାର ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି। ବ୍ରିଟେନରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୦,୭୩୨ରେ ପହଞ୍ଚିଛି। ଅନ୍ୟ ପ୍ରମୁଖ ଦେଶ ମଧ୍ୟରେ ଇରାନରେ ୫,୮୦୬, ଚାଇନାରେ ୪,୬୩୩, ତୁର୍କୀରେ ୨,୮୦୫, ବ୍ରାଜିଲରେ ୪,୨୯୮, ବେଲଜିୟମରେ ୭,୨୦୭, ନେଦରଲାଣ୍ଡ୍ସରେ ୪, ୫୧୮, ସ୍ବିଡେନରେ ୨, ୨୭୪, ମେକ୍ସିକୋରେ ୧,୩୫୧, କାନାଡାରେ ୨,୬୧୭ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ମହାମାରୀ ଭୂତାଣୁଠାରୁ ବର୍ତ୍ତିବା ଲାଗି ସାମାଜିକ ଦୂରତା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି।

Share