୩୦ରୁ ବିଦ୍ୟୁତ୍‌ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ବିଦ୍ୟୁତ୍‌ ବିଭାଗରେ ସଂସ୍କାର ପାଇଁ ଆମୂଳଚୂଳ ପରିବର୍ତ୍ତନ କରାଯିବାର ୨୪ ବର୍ଷ ପୂରିଲା। ହେଲେ କର୍ମଚାରୀଙ୍କ ପାଇଁ ସର୍ଭିସ ରେଗୁଲେଶନ ହୋଇପାରିଲା ନାହିଁ। ସର୍ଭିସ ରେଗୁଲେଶନ ନ ଥିବାରୁ କର୍ମଚାରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଇଟିଆଇ ତାଲିମପ୍ରାପ୍ତ କୁଶଳୀ ଶ୍ରେଣୀରେ ଗଣା ଯାଉଥିବା ବେଳେ ଓପିଟିସିଏଲ୍‌ରେ ଆଇଟିଆଇ ତାଲିମପ୍ରାପ୍ତ କର୍ମଚାରୀମାନେ ଦୀର୍ଘ ସାତବର୍ଷ ହେବ ଅର୍ଦ୍ଧକୁଶଳୀ ଶ୍ରେଣୀରେ ବିନା ପଦୋନ୍ନତିରେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାରଙ୍କ ୫ଟି ନୀତିକୁ ଓପିଟିସିଏଲ୍‌ କର୍ତ୍ତୃପକ୍ଷ ବାରମ୍ବାର ଉଲ୍ଲଂଘନ କରୁଛନ୍ତି। ପ୍ରତିବାଦରେ ନିଖିଳ ଓଡ଼ିଶା ବିଦ୍ୟୁତ୍‌ ମଜଦୁର ମହାସଂଘ କର୍ମକର୍ତ୍ତା ଆସନ୍ତା ୩୦ ତାରିଖରୁ ଓପିଟିସିଏଲ୍‌ ମୁଖ୍ୟ ଫାଟକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଗଣଧାରଣା ଦେବେ। ମହାସଂଘର କାର୍ଯ୍ୟକାରୀ ସଭାପତି ଜ୍ଞାନରଞ୍ଜନ ଭୋଇ ଏବଂ ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡ଼ା ବୁଧବାର ଏକ ପ୍ରେସ୍‌ ବିବୃତିରେ ଏହା ଜଣାଇଛନ୍ତି।